ନାଇଜେରିଆରେ ଡଙ୍ଗା ବୁଡ଼ି ୨୪ ମୃତ

୧୬

ନାଇଜେରିଆ: ନାଇଜେରିଆରେ ହୃଦୟବିଦାରକ ଡଙ୍ଗା ଦୁର୍ଘଟଣା । ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଯାଉଥିବା ବେଳେ ନଦୀରେ ବୁଡ଼ିଗଲା ଯାତ୍ରୀବାହୀ ଡଙ୍ଗା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଅତି କମରେ ୨୪ ଜଣଙ୍କ ଜୀବନ ଯାଇଛି । ଦକ୍ଷିଣ ନାଇଜେରିଆର ବାୟେଲସା ରାଜ୍ୟରେ ଗତ ଶୁକ୍ରବାର ଏହି ଅଘଟଣ ଘଟିଛି ।

ସୂଚନା ଅନୁଯାୟୀ, ଗୋଟିଏ ଅଞ୍ଚଳରୁ ଅନ୍ୟ ଏକ ଅଞ୍ଚଳକୁ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଡଙ୍ଗାରେ ଯାତ୍ରା କରୁଥିଲେ ଲୋକେ । ହେଲେ ରାସ୍ତାରେ ହଠାତ୍ ଡଙ୍ଗାଟି ନଦୀରେ ବୁଡ଼ିଯାଇଥିଲା । ଫଳରେ ଅନେକ ଯାତ୍ରୀ ଜଳମଗ୍ନ ହୋଇଯାଇଥିଲେ । ନାଇଜେରିଆର ନ୍ୟାସନାଲ୍ ଏମର୍ଜେନ୍ସି ମ୍ୟାନେଜମେଣ୍ଟ ଏଜେନ୍ସିର ମୁଖପାତ୍ର ମଞ୍ଜୋ ଏଜେକି ଏକ ବିବୃତି ଜରିଆରେ ଏହି ସୂଚନା ଦେଇଛନ୍ତି । ଦୁର୍ଘଟଣା ପରେ ଏବେ ମଧ୍ୟ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ତେବେ କେତେ ଜଣ ନିଖୋଜ ଅଛନ୍ତି, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।

ଅନ୍ୟପକ୍ଷରେ ପୋଲିସ ମୁଖପାତ୍ର ମୁସା ମହମ୍ମଦଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣାରୁ ୨୪ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି । ଉଦ୍ଧାର ଯାତ୍ରୀମାନଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଛି । ତେବେ ଡଙ୍ଗାରେ ମୋଟ କେତେ ଜଣ ଯାତ୍ରୀ ଥିଲେ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ପ୍ରାଥମିକ ତଦନ୍ତରୁ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଯାତ୍ରୀମାନେ ଡଙ୍ଗା ଚାଳକଙ୍କୁ କୂଳ ଆଡ଼କୁ ଯିବା ପାଇଁ କହିଥିଲେ ମଧ୍ୟ ସେ ଏହାକୁ ଅଣଦେଖା କରିଥିଲେ । ଏପରିକି ଦୁର୍ଘଟଣା ପରେ ଡଙ୍ଗା ଚାଳକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ବେଳେ ଡଙ୍ଗାର ମ୍ୟାନେଜରଙ୍କୁ ଅଟକ ରଖିଛି ପୋଲିସ ।

ଏହି ଘଟଣା ପରେ ବାୟେଲସା ରାଜ୍ୟ ସରକାର ଡଙ୍ଗା ଚାଳକ ଓ ଯାତ୍ରୀମାନଙ୍କୁ ସୁରକ୍ଷା ନିୟମ କଡ଼ାକଡ଼ି ପାଳନ କରିବାକୁ ଅପିଲ୍ କରିଛନ୍ତି । ରାଜ୍ୟର ସୂଚନା କମିଶନର ଏବିୟୁଓ କୋକୁ-ଓବିୟାଇ କହିଛନ୍ତି, ଦ୍ରୁତ ଗତି, ଅତ୍ୟଧିକ ଯାତ୍ରୀ ପରିବହନ, ଅବହେଳା ଏବଂ ଲାଇଫ୍ ଜ୍ୟାକେଟ୍ ବିନା ଯାତ୍ରା କରିବା ବନ୍ଦ ହେବା ଆବଶ୍ୟକ । କାରଣ କୌଣସି ଯାତ୍ରା ମଣିଷର ଜୀବନଠାରୁ ଅଧିକ ମୂଲ୍ୟବାନ ନୁହେଁ ।

Share