ଏନଏସଏପି ଅଧୀନରେ ଥିବା ବ୍ୟାଙ୍କ୍‌-ଲିଙ୍କ୍‌ ହିତାଧିକାରୀଙ୍କୁ ନଭେମ୍ବର ୨୫ରେ ମିଳିବ ଭତ୍ତା

22

ଭୁବନେଶ୍ୱର: ଭତ୍ତା ହିତାଧିକାରୀଙ୍କ ପାଇଁ ଖୁସି ଖବର । ମଧୁବାବୁ ପେନସନ୍ ଯୋଜନା ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନଏସଏପି) ଅଧୀନରେ ଥିବା ବ୍ୟାଙ୍କ୍‌-ଲିଙ୍କ୍‌ ହିତାଧିକାରୀଙ୍କୁ ଆସନ୍ତା ନଭେମ୍ବର ୨୫ ତାରିଖରେ ଭତ୍ତା ପ୍ରଦାନ କରାଯିବ । ନୂତନ ହିତାଧିକାରୀଙ୍କ ସମେତ ଭତ୍ତା ପାଇବାରୁ ବଞ୍ଚିତ ରହିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏହି ଭତ୍ତା ପ୍ରଦାନ କରାଯିବ ।

ତେବେ ସୂଚନା ମୁତାବକ, ଗତ ନଭେମ୍ବର ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ମଧୁବାବୁ ପେନସନ୍ ଯୋଜନା ଅଧୀନରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନର ଶୁଭାରମ୍ଭ କରିଥିଲେ। ଏବେ ନଭେମ୍ବର ୨୫ରେ ଆଉ ଏକ ପର୍ଯ୍ୟାୟରେ ଭତ୍ତା ପ୍ରଦାନ କରାଯିବାକୁ ଥିବାରୁ ହଜାର ହଜାର ହିତାଧିକାରୀ ଉପକୃତ ହେବେ । ମୋଟ ୧ ଲକ୍ଷ ୧୩ ହଜାର ୯୪୯ ଜଣ ହିତାଧିକାରୀ ଏହି ପର୍ଯ୍ୟାୟରେ ଭତ୍ତା ପାଇବେ ।

ଗ୍ରାମାଞ୍ଚଳରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ସହରାଞ୍ଚଳରେ ୱାର୍ଡ ଅଫିସ୍‌ରେ ନଗଦ ଆକାରରେ ଭତ୍ତା ବଣ୍ଟନ କରାଯିବ । ବିଶେଷକରି, ଯେଉଁ ନୂତନ ହିତାଧିକାରୀମାନେ କୌଣସି କାରଣବଶତଃ ପୂର୍ବରୁ ଭତ୍ତା ପାଇପାରିନଥିଲେ, ସେମାନଙ୍କୁ ନଭେମ୍ବର ୨୫ରେ ଭତ୍ତା ପ୍ରଦାନ କରାଯିବ । ଅନ୍ୟପକ୍ଷରେ, (ଏନଏସଏପି) ଯୋଜନାର କେନ୍ଦ୍ରୀୟ ଅଂଶ ପୂର୍ବଭଳି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ୍‌ ଖାତାକୁ ପଠାଯିବ ।

 

Share