ତିନି ଦିନ ତଳେ ଏନ୍ସିପି ସଭାପତି ପଦରୁ ହଠାତ୍ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରି ଦେଇଥିବା ଶରଦ ପାୱାର ଶୁକ୍ରବାର ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି। ଦଳୀୟ କର୍ମୀଙ୍କ ଜୋରଦାର ବିରୋଧକୁ ଦୃଷ୍ଟିରେ ରଖି ବରିଷ୍ଠ ନେତାଙ୍କୁ ନେଇ ଗଠିତ ପ୍ୟାନେଲ ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିବାକୁ ମନା କରି ଦେବା ପରେ ଶରଦ ପାୱାର ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି।
ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ଘୋଷଣା କରି ଶ୍ରୀ ପାୱାର କହିଥିଲେ, ମୁଁ ମୋ ନିଷ୍ପତ୍ତି ଶୁଣାଇବା ପରେ ଦଳର କର୍ମୀ ଓ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ମୋ ଉପଦେଷ୍ଟାମାନେ ମୋତେ କହିଥିଲେ ଯେ ମୁଁ ଏହି ନିଷ୍ପତ୍ତି ଉପରେ ପୁଣି ଥରେ ବିଚାର କରିବା ଉଚିତ୍। ମୋ ସମର୍ଥକ, ମହାରାଷ୍ଟ୍ର ଓ ଦେଶର ଅନେକ ରାଜନେତା ମଧ୍ୟ ମୋତେ ନିଷ୍ପତ୍ତି ପ୍ରତ୍ୟାହାର କରି ନେବା ପାଇଁ ଅନୁରୋଧ କରିଥିଲେ। ସମସ୍ତଙ୍କ ଅନୁରୋଧକୁ ବିଚାରକୁ ନେଇ ମୁଁ ମୋ ପୂର୍ବ ନିଷ୍ପତ୍ତିରୁ ଓହରି ଯାଇଛି। ମୁଁ ଘୋଷଣା କରୁଛି ଯେ ମୁଁ ଦଳର ସଭାପତି ଭାବେ କାର୍ଯ୍ୟ ଜାରି ରଖିବି।
ସେ କହିଥିଲେ, ଯଦିଓ ମୁଁ ଦଳର ସଭାପତି ଭାବେ କାର୍ଯ୍ୟ ଅବ୍ୟାହତ ରଖିବି, ତେବେ ମୋର ଆଭିମୁଖ୍ୟ ପୂରା ସ୍ପଷ୍ଟ। ସଂଗଠନର ଯେକୌଣସି ପଦପଦବୀ ପାଇଁ ଆମକୁ ଉତ୍ତରାଧିକାରୀ ବାଛିବାକୁ ପଡ଼ିବ। ଭବିଷ୍ୟତରେ ମୁଁ ଦଳର ସାଂଗଠନିକ ସ୍ତରରେ ପରିବର୍ତ୍ତନ କରିବା ଉପରେ ଗୁରୁତ୍ୱ ଦେବି।ନୂଆ ଦାୟିତ୍ୱ ବଣ୍ଟନ କରାଯିବ ଓ ନୂଆ ନେତୃତ୍ୱ ସୃଷ୍ଟି କରାଯିବ। ସଂଗଠନକୁ ଆହୁରି ଦୃଢ଼ କରିବା ପାଇଁ ମୁଁ ଅନବରତ କାମ କରିବି। ଆମ ଦଳର ଆଦର୍ଶ ଓ ଲକ୍ଷ୍ୟଙ୍କୁ ଲୋକଙ୍କ ପାଖରେ ପହଞ୍ଚାଇବି।
ଆଜିର ସାମ୍ବାଦିକ ସମ୍ମିଳନୀରେ ଶରଦ ପାୱାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଦଳର ସଭାପତି ସହିତ ସେ ତାଙ୍କର ଅନ୍ୟାନ୍ୟ ଦାୟିତ୍ୱଗୁଡ଼ିକୁ ମଧ୍ୟ ନିର୍ବାହ କରିବେ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିପକ୍ଷରେ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ଦିଗରେ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି।
ଅନ୍ୟପକ୍ଷରେ ଶରଦ ପାୱାର ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ଇସ୍ତଫା ନିଷ୍ପତ୍ତି ପ୍ରତ୍ୟାହାର ସହିତ ଦଳର ସାଂଗଠନିକ ସ୍ତରରେ ପରିବର୍ତ୍ତନ କରିବା ନେଇ ଘୋଷଣା କଲା ବେଳେ ଦଳର ଅନ୍ୟତମ ବଡ଼ ନେତା ତଥା ତାଙ୍କ ପୁତୁରା ଅଜିତ ପାୱାର ସେଠାରେ ଉପସ୍ଥିତ ନଥିଲେ। ଅଜିତ ପାୱାର ବିଜେପିରେ ଯୋଗ ଦେବେ ବୋଲି ଜୋର ଚର୍ଚ୍ଚା ଧରିଥିବା ବେଳେ ଶରଦ ପାୱାର ଏନ୍ସିପି ସଭାପତି ପଦରୁ ତାଙ୍କ ଇସ୍ତଫା ଘୋଷଣା କରିଥିଲେ। ଅବଶ୍ୟ ପରବର୍ତ୍ତୀ ସମୟରେ ଅଜିତ କହିଥିଲେ ଯେ ସେ ଶେଷ ପର୍ଯ୍ୟନ୍ତ ଏନ୍ସିପିରେ ରହିବେ।
