Image 1698299397

ଜୟପୁର : ଇଡି ଜାଲରେ ପୂର୍ବତନ ଶିକ୍ଷା ମନ୍ତ୍ରୀ। ନିର୍ବାଚନ ପୂର୍ବରୁ ପେପର୍‌ ଲିକ୍ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ରାଜସ୍ଥାନ କଂଗ୍ରେସ ମୁଖ୍ୟ ଗୋବିନ୍ଦ ସିଂହ ଡୋଟାସରାଙ୍କ ଘରେ ରେଡ୍‌ ହୋଇଛି। ଆଜି ସକାଳୁ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି।
ସେହିପରି ଏହି ମାମଲା ସହ ଜଡିତ କଂଗ୍ରେସ ବିଧାୟକ ଓମ୍‌ ପ୍ରକାଶ ହୁଡଲାଙ୍କ ସହ ଘରେ ମଧ୍ୟ ଇଡି ଚଢ଼ାଉ କରିଛି। ଗୋବିନ୍ଦ ସିଂହ ଡୋଟାସରାଙ୍କ ଜୟପୁର ଓ ସିକର ସ୍ଥିତ ବାସଭବନରେ ଇଡି ପଶି ଛାନଭିନ କରୁଛି। ଏକା ସହ ଜୟପୁର ଦୌସା ଓ ସିକର୍‌ ସମେତ ୭ଟି ସ୍ଥାନରେ ଏହି ରେଡ୍‌ ଚାଲିଛି।
ରାଜସ୍ଥାନରେ ପ୍ରଶ୍ନପତ୍ର ଲିକ୍‌ର ମନି ଲଣ୍ଡରିଂ ମାମଲାରେ ଇଡି ଭୁପେନ୍ଦ୍ର ସରନ୍‌ଙ୍କୁ ଗିରଫ କରିଥିଲା। ରାଜସ୍ଥାନ ପୁଲିସର ଏଫଆଇଆର ଆଧାରରେ ଭୁପେନ୍ଦ୍ର ସରନ ଏବଂ ଅନ୍ୟମାନଙ୍କ ବିରୋଧରେ ଇଡି ଅର୍ଥ ହେରଫେର କରାଯାଇଥିବା ଅଭିଯୋଗର ଯାଞ୍ଚ ଆରମ୍ଭ କରିଥିଲା। ଇଡିର ତଦନ୍ତରୁ ଜଣାପଡିଛି ଯେ ଭୁପେନ୍ଦ୍ର ସରନ ଅନ୍ୟ ଅଭିଯୁକ୍ତଙ୍କ ସହ ମିଶି ବରିଷ୍ଠ ଶିକ୍ଷକ ଗ୍ରେଡ୍‌-୨ ପରୀକ୍ଷା-୨୦୨୨ର ସାଧାରଣ ଜ୍ଞାନ ପେପର୍‌ ଲିକ୍‌ କରିଥିଲେ।
ଏହି ପରୀକ୍ଷା ୨୧, ୨୨ ଓ ୨୪ ନଭେମ୍ବର ୨୦୨୨ରେ ରାଜସ୍ଥାନରେ RPSC ଦ୍ୱାରା କରାଯାଇଥିଲା। ଭୁପେନ୍ଦ୍ର ସରନ ସୁରେଶ ଢ଼ାକା ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ପେପର୍‌ ଲିକ୍‌ କରାଇବା ପାଇଁ ୮ରୁ ୧୦ ଲକ୍ଷ ଟଙ୍କା ଦେଇଥିଲେ। ଏହି ମମଲାରେ ଇଡି ଅଭିଯୁକ୍ତଙ୍କ ୧୫ଟି ଘରେ ରେଡ୍‌ କରିଥିଲା। ଏହି ଚଢ଼ାଉ ବେଳେ ଆପତ୍ତିଜନକ ଡକ୍ୟୁମେଣ୍ଟ ଏବଂ ଡିଜିଟାଲ ରେକର୍ଡ ଜବତ କରାଯାଇଥିଲା। ଏହା ବ୍ୟତୀତ, ଇଡି ୩,୧୧,୯୩,୫୯୭.୮୮ ଟଙ୍କାର ଅଚଳାଚଳ ସମ୍ପତ୍ତି ଜବତ କରିଥିଲା। ଇଡି ପୂର୍ବରୁ ଦୁଇ ଅଭିଯୁକ୍ତ ବାବୁଲାଲ କଟାରା ଏବଂ ଅନିଲ କୁମାର ମୀନା ଓରଫ୍‌ ସେର୍‌ ସିଂହ ମୀନାଙ୍କୁ ମଧ୍ୟ ଗିରଫ କରିଥିଲା।

Share