ସମ୍ବଲପୁର:ବର୍ଷା ଋତୁରେ ହୀରାକୁଦ ଜଳଭଣ୍ତାରେ ଜଳରାଶି ବୃଦ୍ଧି ପାଇଥାଏ ଏହାକୁ ଆଖି ଆଗରେ ରଖି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ସତର୍କତା ଜାରି କରିଛନ୍ତି। ସେ କହିଛନ୍ତି ଚଳିତ ବର୍ଷା ଋତୁରେ ଯେକୌଣସି ସମୟରେ ବନ୍ୟାଜଳ ନିଷ୍କାସନ କରାଯାଇପାରେ।ଏହାକୁ ନଜରରେ ରଖି ମହାନଦୀ ନଦୀ ଶଯ୍ୟାରେ ଚଳାଚଳ କିମ୍ବା ଅନ୍ୟ କାର୍ଯ୍ୟ କରୁଥିବା ସାଧାରଣ ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ।ବନ୍ୟାଜଳ ଛାଡ଼ାଯିବା ପୂର୍ବରୁ ବନ୍ଧର ବାମ ସ୍ପିଲୱେ ନିକଟରେ ବିଶେଷ ସାଇରନ ବଜାଯିବ।
ଏହି ସାଇରନ୍ ପ୍ରଥମେ ୨ ମିନିଟ୍ ଧରି ଲଗାତାର ବାଜିବ ଏବଂ ପରେ ୨୦ ସେକେଣ୍ଡ ବ୍ୟବଧାନରେ ୩୦ ସେକେଣ୍ଡ କରି ଦୁଇଥର ବାଜିବ। ଏହି ପ୍ରକ୍ରିୟା ପୁନରାବୃତ୍ତି ହେବ। ସୂଚନା ଅନୁଯାୟୀ, ପ୍ରକୃତରେ ଗେଟ୍ ଖୋଲାଯିବାର ପ୍ରାୟ ୨ ଘଣ୍ଟା ପୂର୍ବରୁ ଏହି ସାଇରନ୍ ବଜିବା ଆରମ୍ଭ ହେବ। ଏହା ସାଧାରଣ ସାଇରନ୍ଠାରୁ ଅଲଗା ଧରଣର ହେବ ବୋଲି କୁହାଯାଇଛି।

