ନୂଆଦିଲ୍ଲୀ: ରାଜସ୍ଥାନରେ ବାୟୁସେନାର ଲଢ଼ୁଆ ମିଗ୍‌-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଦୁଇ ସପ୍ତାହ ପରେ ଭାରତୀୟ ବାୟୁସେନା ସୋଭିଏତ ରୁଷିଆ ଦ୍ୱାରା ନିର୍ମିତ ଏହି ବିମାନର ପୁରୁଣା ଫ୍ଲିଟ୍‌କୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।

ମେ’ ୮ରେ ହୋଇଥିବା ଦୁର୍ଘଟଣାର ତଦନ୍ତ ଏବେ ଜାରି ରହିଥିବା ବେଳେ ଦୁର୍ଘଟଣାର କାରଣ ଅନୁସନ୍ଧାନ ମଧ୍ୟ ଜାରି ରହିଥିବାରୁ ମିଗ୍‌-୨୧ ଲଢ଼ୁଆ ବିମାନର ପୂରା ଫ୍ଲିଟ୍‌କୁ ସ୍ଥଗିତ (ଗ୍ରାଉଣ୍ଡ୍‌) କରି ଦିଆଯାଇଛି ବୋଲି ଶୀର୍ଷ ସରକାରୀ ସୂତ୍ରରୁ ଜଣାପଡ଼ିଛି।
ମିଗ୍‌-୨୧ ଲଢ଼ୁଆ ବିମାନ ଦୀର୍ଘ ବର୍ଷ ଧରି ବାୟୁସେନାର ମୁଖ୍ୟ ଆଧାର ଥିଲା। ୧୯୬୦ ଦଶକର ପ୍ରାରମ୍ଭରେ ଭାରତୀୟ ବାୟୁସେନା ଏହାର ସାମଗ୍ରିକ ଯୁଦ୍ଧ ଦକ୍ଷତା ବୃଦ୍ଧି ପାଇଁ ୭୦୦ରୁ ଅଧିକ ମିଗ୍‌-୨୧ ଯୁଦ୍ଧ ବିମାନ କିଣିଥିଲା।

ବର୍ତ୍ତମାନ ଭାରତୀୟ ବାୟୁସେନା ପାଖରେ ୩ଟି ମିଗ୍‌-୨୧ ସ୍କାର୍ଡନ ଥିବା ବେଳେ ମୋଟ ୫୦ଟି ବିମାନ ରହିଛି। ଅବଶିଷ୍ଟ ମିଗ୍‌-୨୧ ଲଢୁଆ ସ୍କାର୍ଡନକୁ ପର୍ଯ୍ୟାୟକ୍ରମେ ହଟାଇବା ପାଇଁ ଭାରତୀୟ ବାୟୁସେନା ଗତବର୍ଷ ତିନି ବର୍ଷର ସମୟସୀମା ଚୂଡ଼ାନ୍ତ କରିଥିଲା।ମିଗ୍‌-୨୧ ବିମାନ ବାହିନୀକୁ ପର୍ଯ୍ୟାୟକ୍ରମେ ବନ୍ଦ କରିବାର ଯୋଜନା ବାୟୁସେନାର ଆଧୁନିକୀକରଣ ଅଭିଯାନର ଏକ ଅଂଶବିଶେଷ ଥିଲା।

ଗତ, ଫେବ୍ରୁଆରି ୨୦୨୧ରେ ସରକାର ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍‌ (ହାଲ୍‌) ସହ ୮୩ଟି ତେଜସ୍‌ ବିମାନ କିଣିବା ପାଇଁ ୪୮,୦୦୦ କୋଟି ଟଙ୍କାର ଚୁକ୍ତି କରିଥିଲେ। ଇତିମଧ୍ୟରେ ବାୟୁସେନା ନିଜର ଯୁଦ୍ଧ କ୍ଷମତା ବୃଦ୍ଧି ପାଇଁ ୩୬ଟି ଅତ୍ୟାଧୁନିକ ରାଫେଲ ବିମାନ କିଣିସାରିଛି। ବାୟୁସେନା ମଧ୍ୟ ୧୧୪ଟି ମିଡିୟମ ରୋଲ ଫାଇଟର ଏୟାରକ୍ରାଫ୍‌ଟ (ଏମଆରଏଫଏ) କିଣିବା ପ୍ରକ୍ରିୟାରେ ରହିଛି।

Share