ନୂଆଦିଲ୍ଲୀ: ଭାରତ ସରକାର ବାୟୁସେନା ଓ ନୌସେନାର ଶକ୍ତି ବଢ଼ାଇବା ପାଇଁ ଦୁଇଟି ବଡ଼ ଚୁକ୍ତି ଲାଗି ପ୍ରସ୍ତୁତି ଚଳାଇଛନ୍ତି। ଛଅ ମାସ ଧରି ଅଟକି ରହିବା ପରେ, କେନ୍ଦ୍ର ସରକାର ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ମଝଗାଓଁ ଡକ୍ୟାର୍ଡସ ଲିମିଟେଡ୍ (MDL)କୁ ପ୍ରୋଜେକ୍ଟ ୭୫ ଇଣ୍ଡିଆ (P-75I) ଅଧୀନରେ ଛଅଟି ଉନ୍ନତ ବୁଡ଼ାଜାହାଜ ନିର୍ମାଣ ପାଇଁ ଜର୍ମାନୀର ଥିସେନକ୍ରୁପ୍ ମାରିନ୍ ସିଷ୍ଟମ୍ସ (TKMS) ସହିତ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିବାକୁ ଅନୁମୋଦନ ଦେଇଛନ୍ତି। ପ୍ରତିରକ୍ଷା ଅଧିକାରୀଙ୍କ ଅନୁଯାୟୀ, ଏହି ପ୍ରକ୍ରିୟା ଏହି ମାସ ଶେଷ ସୁଦ୍ଧା ଆରମ୍ଭ ହେବାର ଆଶା କରାଯାଉଛି।
ପ୍ରଥମ ଚୁକ୍ତିରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ମଝଗାଓଁ ଡକ୍ୟାର୍ଡସ ଲିମିଟେଡ୍ (ଏମ୍ଡିଏଲ୍) ଜର୍ମାନୀଠାରୁ ୬ଟି ବୁଡ଼ାଜାହାଜ କିଣିବେ। ସରକାର ‘ପ୍ରୋଜେକ୍ଟ ୭୫ ଇଣ୍ଡିଆ’ରେ ଭାରତରେ ନିର୍ମିତ ହେଉଥିବା ଏହି ବୁଡ଼ାଜାହାଜର କ୍ରୟକୁ ନେଇ କଥାବାର୍ତ୍ତା ଆରମ୍ଭ ଲାଗି ଅନୁମୋଦନ ଦେଇଛନ୍ତି। ଏହି ଚୁକ୍ତି ୭୦ ହଜାର କୋଟି ଟଙ୍କାରେ ହୋଇପାରେ। ସେହିଭଳି ଭାରତ ସରକାର ଇସ୍ରାଏଲଠାରୁ ର୍ୟାମ୍ପେଜ୍ ଏୟାର-ଟୁ-ଗ୍ରାଉଣ୍ଡ ମିସାଇଲ କିଣିବେ।

