ଭୁବନେଶ୍ବର: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଇନ୍ଧନ ଗ୍ୟାସର ଅଭାବ। ଦୁଇ ଦିନ ମଧ୍ୟରେ ଭୁବନେଶ୍ୱରରେ ହୋଟେଲ ଓ ରେଷ୍ଟୁରାଣ୍ଟ ବନ୍ଦ ଆରମ୍ଭ ହେବ । ଏଭଳି କିଛି ଆଶଙ୍କା କଲେଣି ଭୁବନେଶ୍ବର ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ୍ । ବର୍ତ୍ତମାନ ପ୍ରାୟ ୨୦ ପ୍ରତିଶତ କମର୍ସିଆଲ ଗ୍ୟାସ ସପ୍ଲାଏ ବନ୍ଦ କରାଯାଇଛି । ଏଥିପାଇଁ ହୋଟେଲ ଓ ରେଷ୍ଟୁରାଣ୍ଟ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦେଶର ବଡ଼ ବଡ଼ ସହର ସବୁରେ ବର୍ତ୍ତମାନ ହୋଟେଲ ବନ୍ଦ ହେବା ଆରମ୍ଭ ହେଲାଣି । ଏହିଭଳି ସ୍ଥିତି ଲାଗି ରହିଲେ ଆସନ୍ତା ୨ ଦିନ ମଧ୍ୟରେ ଭୁବନେଶ୍ୱରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିବ ।
ଗ୍ୟାସ ଯୋଗାଣରେ ବ୍ୟାଘାତ ଯଦିଓ ସିଧାସଳଖ ଖାଉଟି ବା ଗ୍ରାହକଙ୍କ ଉପରେ କୌଣସି ପ୍ରଭାବ ପକାଇନହିଁ, ହେଲେ ମାଲିକ ଙ୍କ ଉପରେ ଏହାର ଯଥେଷ୍ଟ ପ୍ରଭାବ ପଡ଼ିଲାଣି । ବଢୁଥିବା ଏହି ଗ୍ୟାସ ଦର ସହ ଯୋଗାଣରେ ବ୍ୟାଘାତ ଆଗକୁ ଖାଦ୍ୟର ମୂଲ୍ୟ ଦୁଇଗୁଣିତ କରିବ । ହୋଟେଲ ଆଉ ରେଷ୍ଟୁରାଣ୍ଟ ଇଣ୍ଡଷ୍ଟ୍ରି ରେ ଗ୍ୟାସର କୌଣସି ବିକଳ୍ପ ନାହିଁ । ଇଲେକ୍ଟ୍ରିକ ଉପକରଣରେ ଏତେ ବଡ଼ ଇଣ୍ଡଷ୍ଟ୍ରି ପାଇଁ କାର୍ଯ୍ୟ କରିବା ସମ୍ଭବ ନୁହେଁ ବୋଲି କହିଛି ଆସୋସିଏସନ୍ ।
ଅନ୍ୟପଟେ କରୋନା ମହାମାରୀ ସମୟରେ ହୋଟେଲ ଇଣ୍ଡଷ୍ଟ୍ରିକୁ ଆଗଧାଡ଼ି ର ଯୋଦ୍ଧା ବୋଲି କହୁଥିଲେ ସରକାର । ଏବେ ମଧ୍ୟ ସେବା ଯୋଗାଇ ଦେବାରେ କୌଣସି ପଛଘୁଂଚା ଦେଉନାହୁଁ । ସରକାର ଆମ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତି ଓଡ଼ିଶା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନର ସଭାପତି ଶ୍ରୀନିବାସ ସୁବୁଦ୍ଧି ।

