ଭୁବନେଶ୍ୱର : ଓଡ଼ିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ । ଓଡ଼ିଶାରେ ରେଳ ସଂଯୋଗୀକରଣକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ଦେଇ କେନ୍ଦ୍ର ସରକାର ପୋତ୍ତନୁର ଏବଂ ଧାନବାଦକୁ ସଂଯୋଗ କରିବା ପାଇଁ ନୂତନ ଅମୃତ ଭାରତ ଟ୍ରେନ୍ ସେବା ଆରମ୍ଭ କରିବାକୁ ଅନୁମୋଦନ କରିଛନ୍ତି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏହି ସୂଚନା ଦେଇଛନ୍ତି ।
ଓଡ଼ିଶା-ତାମିଲନାଡୁ-ଝାଡ଼ଖଣ୍ଡ ମଧ୍ୟରେ ରେଳ ସେବାକୁ ସୁଦୃଢ଼ କରିବ ବୋଲି ଏହି ପତ୍ର ମାଧ୍ୟମରେ ଜଣାଇଛନ୍ତି ରେଳମନ୍ତ୍ରୀ । ରାଜ୍ୟରେ ରେଳ ସଂଯୋଗକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବା ପାଇଁ ଏହି ନୂତନ ଅମୃତ ଭାରତ ଟ୍ରେନ ସେବାକୁ ଅନୁମୋଦନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ରେଳ ମନ୍ତ୍ରୀ ବୈଷ୍ଣବଙ୍କୁ ନିଜ X ହ୍ୟାଣ୍ଡେଲ ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଝାଡ଼ଖଣ୍ଡ ପହଞ୍ଚିବା ପୂର୍ବରୁ ଏହି ଟ୍ରେନ୍ ରାୟଗଡା, ମୁନିଗୁଡ଼ା, କେସିଙ୍ଗା, ଟିଟଲାଗଡ଼, ବଲାଙ୍ଗୀର, ବରଗଡ ରୋଡ୍, ସମ୍ବଲପୁର, ଝାରସୁଗୁଡା ଏବଂ ରାଉରକେଲା ସମେତ ଓଡ଼ିଶାର ଅନେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଦେଇ ଯିବ । ଏହି ଟ୍ରେନ୍ ସେବା ଆରମ୍ଭ ହେବା ଦ୍ୱାରା ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ଯାତ୍ରୀମାନେ ଯଥେଷ୍ଟ ଲାଭ ପାଇବେ ।
ଏଥିସହ ଦକ୍ଷିଣ ଭାରତ ଏବଂ ଦେଶର ଅନ୍ୟାନ୍ୟ ସ୍ଥାନକୁ ସହଜ ଯାତ୍ରାର ବିକଳ୍ପ ପ୍ରଦାନ କରିବ। ଏହି ଅଞ୍ଚଳଗୁଡ଼ିକ ମଧ୍ୟରେ ପ୍ରାୟତଃ ଯାତାୟାତ କରୁଥିବା ଛାତ୍ର, ଶ୍ରମିକ, ବ୍ୟବସାୟୀ ଏବଂ ଯାତ୍ରୀମାନଙ୍କୁ ମଧ୍ୟ ସାହାଯ୍ୟ କରିବ । ନୂତନ ଅମୃତ ଭାରତ ଟ୍ରେନ୍ ଆଞ୍ଚଳିକ ସଂଯୋଗୀକରଣକୁ ସୁଦୃଢ଼ କରିବ ଏବଂ ଓଡ଼ିଶାର ସାମଗ୍ରିକ ବିକାଶରେ ଯୋଗଦାନ ଦେବ ବୋଲି ଆଶା କରାଯାଉଛି ।

