Traffic

ଭୁବନେଶ୍ୱର : ଅମାନିଆ ଗାଡ଼ି ଚାଳକ ସାବଧାନ।  ମାର୍ଚ୍ଚ ୨୧ରୁ ହେବ ଆକ୍ସନ । ସଡ଼କ ନିୟମ ଉଲ୍ଲଙ୍ଘନ ବିରୋଧରେ କଡ଼ାକଡ଼ି ହେବ ଗାଡ଼ି ଯାଞ୍ଚ । ପରିବହନ ବିଭାଗ ଚଳାଇବ ସ୍ବତନ୍ତ୍ର ଅଭିଯାନ । ସାରା ରାଜ୍ୟରେ ଆରଟିଓ ଟିମ୍ କରିବେ ଏନଫୋର୍ସମେଣ୍ଟ । ପୋଲିସ ସହଭାଗିତାରେ ଗାଡ଼ି ଚାଳନା ବିରୋଧରେ ହେବ କଡ଼ାକଡ଼ି ଯାଞ୍ଚ । ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ଅତିରିକ୍ତ RTOଙ୍କୁ ଏସଂକ୍ରାନ୍ତରେ ନିର୍ଦ୍ଦେଶ ଜାରି କରିଛି ରାଜ୍ୟ ପରିବହନ ପ୍ରାଧିକରଣ ।

ସଡ଼କ ସୁରକ୍ଷା ନିୟମ ଅନୁପାଳନକୁ ଅଧିକ କଡ଼ାକଡ଼ି କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆସନ୍ତା ମାର୍ଚ୍ଚ ୨୧ ରୁ ୩୧ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏହି ଅଭିଯାନ କରାଯିବ । ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ଦୁର୍ଘଟଣାପ୍ରବଣ ସ୍ଥାନ, ଜାତୀୟ ଓ ରାଜ୍ୟ ରାଜପଥ, ଖଣି ଓ ଶିଳ୍ପାଞ୍ଚଳ, ସହର ଓ ଗାଁର ମୁଖ୍ୟ ରାସ୍ତା, ପ୍ରମୁଖ ଛକ, ବଜାର ଅଞ୍ଚଳ ଏବଂ ବସ୍ ଷ୍ଟାଣ୍ଡ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ କରାଯିବ ।

ଦ୍ରୁତଗତି, ମଦ୍ୟପାନ କରି ଗାଡ଼ି ଚଳାଇବା, ବିନା ହେଲମେଟରେ, ଭୁଲ୍ ଦିଗରେ ଗାଡ଼ି ଚଲାଇବା, ଓଭରଲୋଡିଂ, ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ, ବୈଧ ଡ୍ରାଇଭିଂ ଲାଇସେନ୍ସ ବିନା ଗାଡ଼ି ଚଳାଇବା, ନାବାଳକ ଗାଡ଼ି ଚାଳନା, ଦୁଇ ଚକିଆରେ ଦୁଇରୁ ଅଧିକ ଯିବା ଏବଂ ଅନ୍ୟାନ୍ୟ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ବିରୋଧରେ କଡ଼ାକଡ଼ି ଯାଞ୍ଚ କରାଯିବ ।

ଏହା ସହିତ ଖଣି ଏବଂ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଟିପ୍ପର, ଡମ୍ପର, ହାଇୱା ଏବଂ ଅନ୍ୟାନ୍ୟ ଭାରୀ ଯାନଗୁଡ଼ିକର ଡ୍ରାଇଭିଂ ଲାଇସେନ୍ସ, ଓଭରଲୋଡିଂ ଏବଂ ଅନ୍ୟାନ୍ୟ ଆଇନଗତ ନିୟମର ଅନୁପାଳନ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯିବ । ଏହି ଅଭିଯାନକୁ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରିବା ପାଇଁ ପରିବହନ ବିଭାଗ ଦ୍ୱାରା ଜିଲ୍ଲା ପ୍ରଶାସନ ଓ ପୋଲିସ ସହଭାଗିତାରେ ଏହି ଅଭିଯାନ କରାଯିବ ।

Share