Mumbai

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭାର ବଜେଟ୍ ଅଧିବେଶନ ଚାଲିଥିବା ସମୟରେ ବିଧାନ ଭବନକୁ ଉଡ଼ାଇବାକୁ ଧମକ । ଦକ୍ଷିଣ ମୁମ୍ବାଇ ସ୍ଥିତ ବିଧାନ ଭବନର ଇମେଲ ଆକାଉଣ୍ଟକୁ ଏକ ବୋମାରେ ଉଡ଼ାଇବାକୁ ଧମକପୂର୍ଣ୍ଣ ମେଲ୍ ଆସିଛି । ବୋମା ଧମକପୂର୍ଣ୍ଣ ମେଲ୍ ଆସିବା ପରେ ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ସୁରକ୍ଷା ଦୃଷ୍ଟିକୋଣରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇ ସମ୍ପୂର୍ଣ୍ଣ ପରିସରରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି ।
ଧମକପୂର୍ଣ୍ଣ ଇମେଲ୍ ମିଳିବା ମାତ୍ରେ ସୁରକ୍ଷାକର୍ମୀମାନେ ସତର୍କ ହୋଇଯାଇଥିଲେ । ବିଧାନ ଭବନ ମଧ୍ୟରେ ଉପସ୍ଥିତ ଥିବା ବିଧାୟକ, ମନ୍ତ୍ରୀ ଓ ଅନ୍ୟ ସଦସ୍ୟଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା ।

ଘଟଣାସ୍ଥଳରେ ଡଗ୍ ସ୍କ୍ୱାଡ୍ ଓ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି କୋଣ ଅନୁକୋଣ ଯାଞ୍ଚ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନାହିଁ । ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରକୁ ସିଲ୍ କରାଯାଇଛି । ସାଧାରଣ ଜନତା ଓ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ପୋଲିସ ପ୍ରତିଟି ଗାଡ଼ି ଓ ବ୍ୟକ୍ତିଙ୍କୁ ଯାଞ୍ଚ କରାଯାଉଛି ।

ଧମକପୂର୍ଣ୍ଣ ଇମେଲ୍ କେଉଁଠାରୁ ଏବଂ କିଏ ପଠାଇଛି, ତାହାର ଯାଞ୍ଚ ମୁମ୍ବାଇ ପୋଲିସର ସାଇବର ସେଲ୍ କରୁଛି । ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଯାଞ୍ଚ ଶେଷ ନହେବା ପର୍ଯ୍ୟନ୍ତ ଏବଂ ପରିସରକୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଘୋଷଣା କରାଯିବା ପର୍ଯ୍ୟନ୍ତ କଟକଣା ଜାରି ରହିବ । ତେବେ ସକାଳ ୧୧ଟାରୁ ସଦନରେ କାମ ଆରମ୍ଭ ହୋଇଛି ।

Share