Oscpcr

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସହରର ଟ୍ରାଫିକ ଛକ, ବସଷ୍ଟାଣ୍ଡ ଏବଂ ସର୍ବସାଧାରଣ ସ୍ଥାନରେ ଶିଶୁ ଭିକ୍ଷାବୃତ୍ତିକୁ ରୋକିବା ପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି ।  ଏନେଇ ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ସମସ୍ତ ଜିଲ୍ଲାପାଳ, ପୋଲିସ ଅଧିକ୍ଷକ ଏବଂ ପୌରପାଳିକା କମିଶନରଙ୍କୁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ଗଠନ

ଶିଶୁ ଭିକ୍ଷାବୃତ୍ତିର ସମ୍ପୂର୍ଣ୍ଣ ଉନ୍ମୂଳନ ପାଇଁ ପ୍ରତି ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ‘ଜିଲ୍ଲା ଟାସ୍କ ଫୋର୍ସ’ ଗଠନ କରାଯିବ । ଏହି ଟିମ୍‌ରେ ପୋଲିସ ଅଧିକ୍ଷକ, ପୌର କମିଶନର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (DCPO) ଏବଂ ଶ୍ରମ ଅଧିକାରୀ ପ୍ରମୁଖ ସଦସ୍ୟ ରହିବେ । ଏହି ଟାସ୍କ ଫୋର୍ସ ନିୟମିତ ଭାବେ ଚଢ଼ାଉ କରି ଭିକ୍ଷାବୃତ୍ତିରେ ନିୟୋଜିତ ଶିଶୁମାନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କର ଥଇଥାନ ପାଇଁ ବ୍ୟବସ୍ଥା କରିବେ ।

କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ

ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ଉଦ୍ଧାର ହୋଇଥିବା ଶିଶୁମାନଙ୍କୁ ତୁରନ୍ତ ଶିଶୁ ମଙ୍ଗଳ କମିଟି (CWC) ନିକଟରେ ହାଜର କରାଯାଇ ସେମାନଙ୍କୁ ଶିଶୁ ଯତ୍ନ କେନ୍ଦ୍ରରେ ରଖାଯିବ । ସେଠାରେ ସେମାନଙ୍କୁ ମାଗଣା ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ କାଉନସେଲିଂ ପ୍ରଦାନ କରାଯିବ ।  ଯେଉଁ ବ୍ୟକ୍ତି ବା ଗୋଷ୍ଠୀ ଶିଶୁମାନଙ୍କୁ ଜବରଦସ୍ତି ଭିକ୍ଷାବୃତ୍ତିରେ ନିୟୋଜିତ କରୁଛନ୍ତି, ସେହିଭଳି ଦଲାଲଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  ଶିଶୁ ଚୋରା ଚାଲାଣ ଏବଂ ଶୋଷଣ ଉପରେ ନଜର ରଖିବାକୁ ପୋଲିସର IUCAW ଏବଂ AHTU ୟୁନିଟକୁ ନିର୍ଦ୍ଦେଶ ଦିଆଯାଇଛି ।

ଜନସାଧାରଣଙ୍କୁ ସଚେତନତା ପାଇଁ ନିବେଦନ

ସର୍ବସାଧାରଣଙ୍କୁ ଶିଶୁ ଭିକ୍ଷାବୃତ୍ତିକୁ ପ୍ରୋତ୍ସାହିତ ନ କରିବା ପାଇଁ ସଚେତନତା ସୃଷ୍ଟି କରାଯିବ ।  ଯଦି କେହି ଏପରି ଘଟଣା ଦେଖନ୍ତି, ତେବେ ତୁରନ୍ତ ଚାଇଲ୍ଡ ହେଲ୍ପଲାଇନକୁ ସୂଚନା ଦେବାକୁ କୁହାଯାଇଛି ।  ଏହି ଅଭିଯାନ ସମ୍ପର୍କରେ ପ୍ରତି ମାସରେ ଏକ ଅନୁପାଳନ ରିପୋର୍ଟ (Compliance Report) ଆୟୋଗଙ୍କ ନିକଟରେ ଦାଖଲ କରିବାକୁ ସମସ୍ତ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ।

Share