ଏହାସହ ସେ ଆହୁରି କହିଛନ୍ତି ଯେ, ମୁଁ ବିଶ୍ୱାସ କରୁଛି ଯେ ଆମର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହାକୁ ବହୁତ ଗମ୍ଭୀରତାର ସହ ନେଇଛନ୍ତି। ଭବିଷ୍ୟତରେ ଏହି ସଦସ୍ୟମାନଙ୍କ ବିରୁଦ୍ଧରେ ଆବଶ୍ୟକୀୟ ସାମ୍ବିଧାନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ କହିଛନ୍ତି।
ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଜେଡ଼ି ବିଧାୟକଙ୍କୁ ନେଇ ବଡ଼ ବୟାନ ରଖିଛନ୍ତି ବିଧାୟକ ଦିବ୍ୟଶଙ୍କର ମିଶ୍ର। ୮ଜଣ ବିଧାୟକ ବହିଷ୍କାର ହୋଇ ସାରିଛନ୍ତି ବୋଲି କହିଛନ୍ତି ଦିବ୍ୟ ଶଙ୍କର।
ଏକ ଜାତୀୟ ଗଣାମଧ୍ୟମ ଏଜେନ୍ସିକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଆଜି ଓଡ଼ିଶାରେ ଚତୁର୍ଥ ରାଜ୍ୟସଭା ଆସନ ପାଇଁ ଦୁଇଜଣ ପ୍ରାର୍ଥୀ ଥିଲେ। ଆମର ପ୍ରାର୍ଥୀ ଥିଲେ ଡକ୍ଟର ଦତ୍ତେଶ୍ୱର ହୋତା। ବିଜେପି ସମର୍ଥିତ ଦିଲୀପ ରାୟ ତାଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଯଦିଓ କଂଗ୍ରେସ ଏବଂ ବିଜେଡି ସମର୍ଥିତ ପ୍ରାର୍ଥୀମାନଙ୍କର ପ୍ରଭାବ ଥିଲା। କିନ୍ତୁ ବିଜେପିର ସମସ୍ତ ନେତା ଘୋଡା ବେପାରରେ ଲିପ୍ତ ଥିଲେ ବୋଲି ମୁଁ ବିଶ୍ୱାସ କରୁଛି। ବିଜେପି ବିଧାୟକଙ୍କୁ ଟଙ୍କା ଦେଇଥିଲେ ଏବଂ ସେମାନଙ୍କୁ ପ୍ରଭାବିତ କରିଥିଲେ। ଶାସକ ଦଳ ଆମର ଗଣତାନ୍ତ୍ରିକ ପ୍ରକ୍ରିୟାର ଶୋଷଣ କରିଛନ୍ତି ବୋଲି କହିଛନ୍ତି ଦିବ୍ୟଶଙ୍କର। କ୍ରସ ଭୋଟିଂ କରିଥିବା ବିଧାୟକଙ୍କ ଉପରେ ମତ ରଖି ସେ କହିଛନ୍ତି ଯେ, ଏପରି କରିଥିବା ଆଠ ଜଣ ବିଧାୟକ ନିଲମ୍ବନ ହୋଇ ସାରିଛନ୍ତି।
ପୂର୍ବରୁ ଦୁଇ ଜଣ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ନିଲମ୍ବନ ହୋଇ ସାରିଛନ୍ତି। ଏବେ ଛଅ ଜଣ କ୍ରସ୍ ଭୋଟିଂ ପାଇଁ ନିଲମ୍ବନ ହେଲେ ବୋଲି କହିଛନ୍ତି।

