ସୂଚନାଯୋଗ୍ୟ, ରାଜ୍ୟସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ମନମୋହନ ସାମଲ, ସୁଜିତ କୁମାର ବିଜୟୀ ହୋଇଛନ୍ତି। ସେହିପରି ବିଜେପି ସମର୍ଥନରେ ନିର୍ବାଚନରେ ଅବତୀର୍ଣ୍ଣ ଦିଲୀପ ରାୟ ମଧ୍ୟ ରାଜ୍ୟସଭାକୁ ଯାଇଛନ୍ତି। ବିଜେଡିର ପ୍ରାର୍ଥୀ ସଂତୃପ୍ତ ମିଶ୍ର ବିଜୟୀ ହୋଇଥିଲା ବେଳେ ବିଜେଡି ଏବଂ କଂଗ୍ରେସର ମିଳିତ ସମର୍ଥିତ ପ୍ରାର୍ଥୀ ଦତ୍ତେଶ୍ବର ହୋତା ପରାଜିତ ହୋଇଛନ୍ତି। ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ମନମୋହନ ସାମଲଙ୍କୁ ୩୫୦୦ ଖଣ୍ଡ, ସୁଜିତ କୁମାରଙ୍କୁ ୩୫୦୦ ଖଣ୍ଡ, ବିଜେଡିର ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କୁ ୩୧୦୦ ଏବଂ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ୩୪୧୮ ଭୋଟ୍ ମିଳିଛି। ଦତ୍ତେଶ୍ବର ହୋତା ୨୩୦୦ ଭୋଟ୍ ପାଇ ପରାଜିତ ହୋଇଛନ୍ତି।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବନିର୍ବାଚିତ ରାଜ୍ୟସଭା ପ୍ରାର୍ଥୀ ମନମୋହନ ସାମଲ ଏବଂ ସୁଜିତ କୁମାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ପାଇଁ ଆଜି ଏକ ଐତିହାସିକ ଦିନ। ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ଏବଂ ବିଜେପି ସମର୍ଥନରେ ସ୍ବାଥୀନ ପ୍ରାର୍ଥୀଙ୍କ ପ୍ରଚଣ୍ଡ ବିଜୟ ହୋଇଛି। ମୋଦୀଙ୍କ ସୁଦୃଢ଼ ନେତୃତ୍ବ ଏବଂ ମାର୍ଗଦର୍ଶନର ଫଳାଫଳ ମିଳିଛି। ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ କାର୍ଯ୍ୟକ୍ରମକୁ ରାଜ୍ୟସଭା ନିର୍ବାଚନ ଆଗେଇ ନେବ। ନିର୍ବାଚିତ ସାଂସଦ ମନମୋହନ ସାମଲ, ସୁଜିତ କୁମାର ଓ ଦିଲୀପ ରାୟ ଓଡ଼ିଶାର ସ୍ବାର୍ଥ ରକ୍ଷା ପାଇଁ କାମ କରିବେ ବୋଲି ମୋର ଆଶା ଏବଂ ବିଶ୍ବାସ। ଆଗାମୀ ଦିନରେ ଯେଉଁ ସଂକଳ୍ପ ନେଇ ନବନିର୍ବାଚିତ ସାଂସଦମାନେ ଦିଲ୍ଲୀ ଯିବେ, ସେମାନେ ସଂସଦରେ ଓଡ଼ିଶାର ସ୍ବରକୁ ଶାଣିତ କରିବେ, ଯାହା ଓଡ଼ିଶାର ସମୃଦ୍ଧିରେ ସହାୟକ ହେବ।

