Air

ନୂଆଦିଲ୍ଲୀ: ଇରାନ ଯୁଦ୍ଧର ବଡ଼ ପ୍ରଭାବ । ୟୁଏଇ ଉପରେ ଇରାନର ଆକ୍ରମଣ ଭୟ । ଆକାଶପଥ ସମ୍ପୂର୍ଣ୍ଣ ବନ୍ଦ, ବିମାନ ଚଳାଚଳ ଠପ୍ । ସବୁ ବିମାନ ବାତିଲ୍! ଇରାନ ପକ୍ଷରୁ ମିସାଇଲ୍ ଏବଂ ଡ୍ରୋନ୍ ମାଡ଼ ଆଶଙ୍କାରେ ସଂଯୁକ୍ତ ଆରବ ଏମିରେଟ୍ସ ନିଜର ସମସ୍ତ ଆକାଶପଥକୁ ସାମୟିକ ଭାବେ ବନ୍ଦ କରିଛି। ଦୁବାଇ ଓ ଆବୁଧାବି ଭଳି ବଡ଼ ବଡ଼ ବିମାନ ବନ୍ଦରରେ ଶତାଧିକ ବିମାନ ଚଳାଚଳ ବାତିଲ୍ ହୋଇଛି । ଏମିରେଟ୍ସ ଏବଂ ଏତିହାଦ୍ ଭଳି ବିମାନ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି ।

ଆମେରିକା ୟୁଏଇର ଏୟାର ସ୍ପେଶ ବ୍ୟବହାର କରି ଆକ୍ରମଣ କରୁଥିବା ଇରାନ ଅଭିଯୋଗ କରିଆସୁଛି। ପ୍ରତିଶୋଧ ନେବାକୁ ଇରାନ ଏବେ ୟୁଏଇର ବନ୍ଦର ଏବଂ ପ୍ରମୁଖ ସହରଗୁଡ଼ିକୁ ଟାର୍ଗେଟ୍ କରିବାକୁ ଧମକ ଦେଇଛି । ଏସବୁ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରିଟେନ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବ୍ରିଟେନର ପ୍ରଧାନମନ୍ତ୍ରୀ କହିଛନ୍ତି ବଡ଼ ଯୁଦ୍ଧ ଭିତରକୁ ନିଜ ଦେଶକୁ ଟାଣିବାକୁ ଚାହାଁନ୍ତି ନାହିଁ ।

ଜର୍ମାନୀ ଚାନ୍ସେଲର ଫ୍ରିଡ୍ରିକ୍ ମର୍ଜ କହିଛନ୍ତି ଯୁଦ୍ଧ ସହ ‘ନାଟୋ’ର କୌଣସି ସମ୍ପର୍କ ନାହିଁ, ତେଣୁ ସାମରିକ ସହାୟତା ଦେବାକୁ ମନା କରିଛି । ଚୀନ୍ ଏବଂ ଫ୍ରାନ୍ସ ଭଳି ଦେଶ ନିଜର ଯୁଦ୍ଧ ଜାହାଜ ପଠାଇ ‘ହର୍ମୁଜ ପ୍ରଣାଳୀ’କୁ ସୁରକ୍ଷିତ ରଖନ୍ତୁ ବୋଲି ଟ୍ରମ୍ପ ଚାହୁଁଛନ୍ତି । ଫଳରେ ବିଶ୍ୱକୁ ତେଲ ଯୋଗାଣ ବାଧାପ୍ରାପ୍ତ ହେବନାହିଁ। କିନ୍ତୁ ଅଧିକାଂଶ ଦେଶ ଏହି ଯୁଦ୍ଧରେ ସିଧାସଳଖ ସାମିଲ ହେବାକୁ ଡରୁଛନ୍ତି ।

ଏପଟେ କାନାଡା, ଫ୍ରାନ୍ସ, ଜର୍ମାନୀ ଓ ଇଟାଲୀ ଭଳି ଦେଶ ଏକ ମିଳିତ ବିବୃତି ଜାରି କରି ଲେବାନନରେ ବଢ଼ୁଥିବା ହିଂସା ଉପରେ ଚିନ୍ତା ପ୍ରକାଶ କରିଛନ୍ତି ।  ଇସ୍ରାଏଲ୍ ଯଦି ସେଠାରେ ସ୍ଥଳସେନା ଆକ୍ରମଣ କରେ, ତେବେ ପରିସ୍ଥିତି ଅତି ଭୟଙ୍କର ହେବ ବୋଲି ସତର୍କ କରିଛନ୍ତି। ଯୁଦ୍ଧ ଏବେ ତୃତୀୟ ସପ୍ତାହରେ ପହଞ୍ଚିଛି। ଆକାଶପଥ ବନ୍ଦ ହେବା ଓ ତେଲ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ ବିଶ୍ୱ ଅର୍ଥନୀତି ଉପରେ ଏହାର ଖରାପ ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି ।

Share