Supremecourt

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମା’ଙ୍କ ପାଇଁ ବଡ଼ ଆଶ୍ୱସ୍ତି । ସବୁ ପୋଷ୍ୟ ସନ୍ତାନ ଗ୍ରହଣକାରୀ ମା’ଙ୍କୁ ମିଳିବ ମାତୃତ୍ୱକାଳୀନ ଛୁଟି । ଶିଶୁର ବୟସ ଯାହା ହେଉ, ମା’ଙ୍କୁ ମିଳିବ ୧୨ ସପ୍ତାହର ଛୁଟି । ଏବେ ବଡ଼ ପିଲାଙ୍କୁ ଗ୍ରହଣ କଲେ ବି ଏହି ଛୁଟି ମିଳିବ । ପୋଷ୍ୟ ସନ୍ତାନ ଗ୍ରହଣ କ୍ଷେତ୍ରରେ ବୟସ ସୀମା ନିୟମ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ପିତୃତ୍ୱ କାଳୀନ ଛୁଟି ପାଇଁ ବି ମିଳିଲା ସଙ୍କେତ । ସାମାଜିକ ସୁରକ୍ଷା ସଂହିତା Social Security Code, 2020ର ଧାରା ୬୦(୪) ଅନୁଯାୟୀ, କେବଳ ସେହି ମା’ମାନଙ୍କୁ ୧୨ ସପ୍ତାହର ମାତୃତ୍ୱ କାଳୀନ ଛୁଟି ମିଳୁଥିଲା, ଯେଉଁମାନେ ୩ ମାସରୁ କମ୍ ବୟସର ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରୁଥିଲେ । ୩ ମାସରୁ ଅଧିକ ବୟସର ଶିଶୁକୁ ଗ୍ରହଣ କଲେ କୌଣସି ସୁବିଧା ମିଳୁନଥିଲା । ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ଜେ.ବି. ପାର୍ଦିୱାଲା ଓ ଜଷ୍ଟିସ୍ ଆର୍. ମହାଦେବନଙ୍କୁ ନେଇ ଗଠିତ ବେଞ୍ଚ ଏହି ବୟସ ସୀମାକୁ ଅସାମ୍ବିଧାନିକ ଏବଂ ପାତରଅନ୍ତର ବୋଲି କହିଛନ୍ତି ।

କୋର୍ଟ କହିଛନ୍ତି, ଶିଶୁର ବୟସ ଯାହା ହେଉନା କାହିଁକି, ଜଣେ ନୂଆ ମା’ ଭାବେ ତାଙ୍କର ଯତ୍ନ ନେବା ଏବଂ ସମ୍ପର୍କ ଗଢ଼ିବା ପାଇଁ ସମୟ ଆବଶ୍ୟକ । ବୟସ ଆଧାରରେ ମା’ମାନଙ୍କ ମଧ୍ୟରେ ଭେଦଭାବ କରିବା ସମାନତା ଅଧିକାରର ଉଲ୍ଲଂଘନ । ଏହି ରାୟ ପରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଥିବା ଶିଶୁର ବୟସ ଯାହା ବି ହୋଇଥାଉ ମା’ଙ୍କୁ ପିଲାଟି ମିଳିବା ଦିନଠାରୁ ୧୨ ସପ୍ତାହର ସମ୍ପୂର୍ଣ୍ଣ ଛୁଟି ମିଳିବ । ଏହି ନିୟମ ସରୋଗେସୀ ମାଧ୍ୟମରେ ମା’ ହୋଇଥିବା ମହିଳାଙ୍କ ପାଇଁ ମଧ୍ୟ ଲାଗୁ ହେବ ।

କୋର୍ଟ କହିଛନ୍ତି ବଡ଼ ପିଲାଙ୍କୁ ଗ୍ରହଣ କଲେ ସେମାନଙ୍କ ସହ ମାନସିକ ଓ ଭାବପ୍ରବଣ ସମ୍ପର୍କ ଯୋଡ଼ିବା ପାଇଁ ଆହୁରି ଅଧିକ ସମୟ ଓ ଯତ୍ନ ଦରକାର । ବିଶେଷ କରି ଭିନ୍ନକ୍ଷମ ପିଲା ବା ଜଣେ ଏକାକୀ ମା’ ଙ୍କ ପାଇଁ ଏହି ଛୁଟି ଅତ୍ୟନ୍ତ ଜରୁରୀ । ଏହି ଅବସରରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି, ପିଲାଙ୍କ ଲାଳନପାଳନ କେବଳ ମା’ଙ୍କ ଦାୟିତ୍ୱ ନୁହେଁ । ତେଣୁ ବାପାମାନଙ୍କୁ ମଧ୍ୟ ପିତୃତ୍ୱ କାଳୀନ ଛୁଟି ଦେବା ପାଇଁ ସରକାର ନିୟମ ପ୍ରଣୟନ କରିବା ଉଚିତ୍ । ଏହି ନିଷ୍ପତ୍ତି ଦ୍ୱାରା ହଜାର ହଜାର ପରିବାର ଉପକୃତ ହେବେ ଏବଂ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ଅଧିକ ସହଜ ଓ ସମ୍ମାନଜନକ ହେବ ।

Share