କାଗଜପତ୍ରରେ ତିନି ଜଣ ଗର୍ଭବତୀ …………..ବିନା କାଗଜପତ୍ରରେ କେତେ ???????
କଟକ (ନିରଞ୍ଜନ ପଟ୍ଟନାୟକଙ୍କ ରିପୋର୍ଟ) : ସିଲଭର ସିଟି କଟକର ଚାଉଳିଆଗଞ୍ଜ ଥାନାର ‘ରସିକିଆ’ ଥାନାବାବୁଙ୍କ ପ୍ରେମ ଲୀଳା ଦିନକୁ ଦିନ ନୂଆ ନୂଆ ରଙ୍ଗ ଧରୁଛି। ଆଗରୁ ତାଙ୍କ ଥାନା ଭିତରେ ‘ଗାନ୍ଧାର କଳା’ ଓ ‘କୁଆଁରୀ ପୂଜା’ର ଚର୍ଚ୍ଚା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଏବେ ତାଙ୍କ ପ୍ରେମର ଲମ୍ବା ଲାଇନ୍ ଉନ୍ମୋଚିତ ହେବାରେ ଲାଗିଛି। ଜାଣନ୍ତୁ, ଏହି ରସିକିଆ ବାବୁଙ୍କ ପ୍ରେମର ଭୂଗୋଳ କଟକ ସହରରୁ ବାହାରି ଜୟପୁର ପର୍ଯ୍ୟନ୍ତ ଲମ୍ବିଛି। ଅର୍ଥାତ୍ ବାବୁ ଯେତିକି ଆଇନ ଶୃଙ୍ଖଳା ରକ୍ଷାରେ ‘ସିଦ୍ଧହସ୍ତ’, ତା’ଠାରୁ ବେଶି ରସଲୀଳାରେ ‘ପାରଦର୍ଶୀ’ !
ସୂଚନା ଅନୁସାରେ, ଥାନାବାବୁ ଜୟପୁରରେ ପୋଷ୍ଟିଂରେ ଥିବାବେଳେ ସେଠାରେ ମଧ୍ୟ ତାଙ୍କ ‘ରସିକିଆ’ ବ୍ୟକ୍ତିତ୍ୱ ପୂରା ଦମ୍ରେ ସକ୍ରିୟ ଥିଲା। ସେଠାରେ ଜଣେ ପ୍ରେମିକାଙ୍କୁ ଗର୍ଭବତୀ କରିଦେଇଥିବା ଅଭିଯୋଗ ଉଠିଥିଲା, ଯାହା ସ୍ଥାନୀୟ ସ୍ତରରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା। ବୋଧହୁଏ ବାବୁ ସେଠୁ ବଦଳି ହୋଇ କଟକ ଆସିଲେ, କିନ୍ତୁ ତାଙ୍କ ‘ରସିକ ଆତ୍ମା’ ମାତ୍ର ବଦଳି ହୋଇ ଆସିଲା ନାହିଁ। ସେ ଯାହା ଜୟପୁରରେ କରୁଥିଲେ, ସେ ସବୁ କଟକରେ ‘ଅପ୍ଗ୍ରେଡ୍ ଭର୍ସନ୍’ରେ ଜାରି ରଖିଛନ୍ତି।
କଟକରେ ବାବୁଙ୍କ ରସଲୀଳା ଆହୁରି ରସାଳ ହୋଇଛି। ଜଣେ ଯୁବତୀଙ୍କୁ ଗର୍ଭବତୀ କରିବା ପରେ ‘ବାଧ୍ୟ ହୋଇ’ ବିବାହ କରିନେଲେ। ଲୋକେ ଭାବିଲେ, ଏଇଠି ଶେଷ। କିନ୍ତୁ ନାଁ! ବାବୁଙ୍କ ପାଇଁ ବିବାହ ହେଉଛି ଗୋଟିଏ ଅଧ୍ୟାୟର ଅନ୍ତ, ଆଉ ଗୋଟିଏ ନୂଆ ଅଧ୍ୟାୟର ଆରମ୍ଭ! ବର୍ତ୍ତମାନ ଆଉ ଜଣେ ଯୁବତୀଙ୍କ ସହ ରାସଲୀଳାରେ ମାତିଛନ୍ତି। ଥାନାକୁ ତାଙ୍କ ସେକେଣ୍ଡ ହୋମ୍ ବନାଇ ସରକାରୀ ଗାଡ଼ିରେ ସହରର ପରିକ୍ରମା କରୁଛନ୍ତି। ଗୋଟିକ ପରେ ଗୋଟିଏ ପ୍ରେମ ପ୍ରସଙ୍ଗ ଯେଭଳି ଭାବେ ଉନ୍ମୋଚିତ ହେଉଛି, ତାହା ଦେଖି ସ୍ଥାନୀୟ ଲୋକମାନେ କହୁଛନ୍ତି—”ଏହି ଥାନାବାବୁ ଜଣେ ହିଷ୍ଟ୍ରିୟା ରୋଗୀ! ନହେଲେ ଖାକି ପୋଷାକ ପିନ୍ଧି ଏତେସବୁ ଲୀଳା କରନ୍ତେ କିପରି?”
ଥାନାବାବୁଙ୍କ ‘ଧର୍ମଭୀରୁପଣ’ ମଧ୍ୟ କମ୍ ରୋଚକ ନୁହେଁ। ଥାନା ପରିସରରେ ନିୟମିତ ପୂଜାପାଠ—ଯେଉଁଥିରେ ଜଣେ ‘କୁଆଁରୀ କନ୍ୟା’ଙ୍କ ଉପସ୍ଥିତି ଅନିବାର୍ଯ୍ୟ। ଗୁଣିଗାରେଡ଼ିରେ ବିଶ୍ୱାସ ଏତେ ଗାଢ଼ ଯେ ବାବୁ ବୋଧହୁଏ ଭାବୁଛନ୍ତି—ଅପରାଧ ଦମନ ଅପେକ୍ଷା ଗ୍ରହଦୋଷ ନିବାରଣ ଅଧିକ ଜରୁରୀ! ଲୋକେ ପ୍ରଶ୍ନ କରୁଛନ୍ତି—ଏହା କି ସିଦ୍ଧିପ୍ରାପ୍ତି ନା ଯୁବତୀଙ୍କ ସାହଚର୍ଯ୍ୟ ପାଇଁ ନୂଆ ବାହାନା?
ଥାନାବାବୁ ଏକୁଟିଆ ଏତେ ସାହସ ସେ କିପରି ଦେଖାଇ ପାରୁଛନ୍ତି? ଏହାର ଉତ୍ତର ଲୁଚିଛି ‘ସାହୁ ବାବୁ’ ନାମକ ଜଣେ କୁଜି ନେତାଙ୍କ ଭିତରେ। ଏହି ସାହୁ ବାବୁଙ୍କ ରାଜନୈତିକ ଛତ୍ରଛାୟାରେ ରସିକିଆ ଥାନାବାବୁ ସବୁବେଳେ ଜୟ ଜୟ। ନେତା-ପୋଲିସ ଗଠବନ୍ଧନର ଏଭଳି ‘ସୁନ୍ଦର’ ଉଦାହରଣ ସତରେ ବିରଳ! ଜଣେ ଦୁର୍ନୀତିଗ୍ରସ୍ତ ପୋଲିସ ଅଧିକାରୀଙ୍କୁ ଜଣେ ଅସ୍ତିପଞ୍ଜାଧାରୀ ନେତା ଯୋଉ ରକ୍ଷାକବଚ ହୋଇ ଠିଆ ହେଉଛନ୍ତି, ତାହା ବ୍ୟବସ୍ଥାର ଦୁର୍ଦ୍ଦଶାକୁ ସ୍ପଷ୍ଟ ଭାବେ ଦର୍ଶାଉଛି।
ବାବୁଙ୍କ ‘ମହାନ କୀର୍ତ୍ତି’ କେବଳ ରାସଲୀଳାରେ ସୀମିତ ନୁହେଁ। ଯେଉଁ ଥାନାରେ ସେ ପୂର୍ବରୁ ପୋଷ୍ଟିଂରେ ଥିଲେ, ସେଠାରେ ତାଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ରହିଛି। ବେନିୟମ ଭାବେ ନିରୀହ ଲୋକଙ୍କୁ ଗିରଫ କରିବା, ଛାଡ଼ିଦେବା ଲାଗି ଟଙ୍କା ଆଦାୟ କରିବା ଆଦି ଅଭିଯୋଗରେ ସେ ବଦନାମ ହୋଇ ସାରିଥିଲେ। ଏ ସମସ୍ତ ଅନାଚାର ନେଇ ତାଙ୍କ ବିରୁଦ୍ଧରେ ହ୍ୟୁମାନ୍ ରାଇଟ୍ସ କମିଶନରେ ମାମଲା ମଧ୍ୟ ଚାଲିଛି। ଅର୍ଥାତ୍ ବାବୁ ଏକ ହାତରେ ନିରୀହଙ୍କ ଠାରୁ ଟଙ୍କା ଲୁଟୁଛନ୍ତି, ଅନ୍ୟ ହାତରେ ‘ରାସଲୀଳା’ କରୁଛନ୍ତି—ଦୁଇ ହାତରେ ଲାଡୁ!
ରାଜ୍ୟରେ ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ନେତୃତ୍ୱରେ ‘ଡବଲ ଇଞ୍ଜିନ’ ସରକାର ସୁଶାସନ ଓ ସ୍ୱଚ୍ଛତାର ଡିଣ୍ଡିମ ପିଟୁଛନ୍ତି। କିନ୍ତୁ କଟକର ଏକ ଥାନାରେ ‘ଡବଲ ଇଞ୍ଜିନ’ ନୁହେଁ, ‘ଡବଲ ରୋମାନ୍ସ’ ଚାଲିଛି! ସୁଶାସନର ନାରା ଦେଉଥିବା ସରକାରଙ୍କ ନାକ ତଳେ ଜଣେ ଥାନାବାବୁ ଖାକି ପୋଷାକର ମର୍ଯ୍ୟାଦାକୁ ଧୂଳିସାତ୍ କରୁଛନ୍ତି—ଏହା କ’ଣ ସୁଶାସନର ନମୁନା?
ଜଣେ ପୋଲିସ ଅଧିକାରୀ ବିରୁଦ୍ଧରେ ହ୍ୟୁମାନ୍ ରାଇଟ୍ସ କେସ୍ ଚାଲିଥିବାବେଳେ ତାଙ୍କୁ ଗୋଟିଏ ସମ୍ବେଦନଶୀଳ ଥାନାର ଦାୟିତ୍ୱ କିପରି ଦିଆଗଲା?
ଥାନାକୁ ସେ ‘ରୋମାନ୍ସ କ୍ଲବ୍’ ବନାଇ ଚଲାଉଥିବାବେଳେ ବିଭାଗୀୟ ଅନୁଶାସନ କାହିଁକି ଚୁପ୍?
ସରକାରୀ ଗାଡ଼ିରେ ପ୍ରେମିକାଙ୍କୁ ସହର ବୁଲାଇବାର ଖର୍ଚ୍ଚ ସରକାରୀ ଖଜଣାରୁ ଯାଉଛି ନା ବାବୁଙ୍କ ପକେଟ୍ରୁ?
ଜୟପୁରରୁ କଟକ—ସବୁଆଡ଼େ ସମାନ ଅଭିଯୋଗ। ଏହାର ଅର୍ଥ ବିଭାଗ ଜାଣିଜାଣି ଏହି ଅଧିକାରୀଙ୍କୁ ସୁରକ୍ଷା ଦେଉଛି କି?
ଯଦି ଏହି ‘ରସିକିଆ’ ଥାନାବାବୁଙ୍କ ଉପରେ ତୁରନ୍ତ ଲଗାମ ନଲଗାଯାଏ, ତେବେ ଆଗକୁ ଲୋକେ ଥାନାକୁ ଏଫ୍ଆଇଆର୍ ଲେଖାଇବାକୁ ନୁହେଁ, ବରଂ ‘ରାସଲୀଳା ସିଜନ୍ ୩’ ଦେଖିବାକୁ ଯିବେ।

