ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ପ୍ରକଳ୍ପ ଓ ଯୋଜନାର କାର୍ଯ୍ୟକାରିତାରେ ସ୍ୱଚ୍ଛତା ଏବଂ ଗତିଶୀଳତା ଆଣିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ୧୯୭୮ ମସିହାର ଆର୍ଥିକ କ୍ଷମତା ପ୍ରତିନିଧିତ୍ଵ ନିୟମାବଳୀ (DFPR) ରେ ସଂଶୋଧନ କରାଯାଇ ପ୍ରଶାସନିକ ସ୍ତରରେ ବିଭିନ୍ନ ପଦାଧିକାରୀଙ୍କ ଖର୍ଚ୍ଚ କରିବାର କ୍ଷମତାକୁ ବହୁଗୁଣିତ କରାଯାଇଛି।
ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ଏହି ନିୟମାବଳୀ ଅନୁଯାୟୀ, ଏବେ ଅନେକ କ୍ଷେତ୍ରରେ କ୍ୟାବିନେଟ୍ ବା ମନ୍ତ୍ରୀଙ୍କ ଅନୁମୋଦନ ଅପେକ୍ଷା ନକରି ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନେ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରିପାରିବେ। ନୂତନ ନିୟମ ଅନୁସାରେ, ପ୍ରଶାସନିକ ବିଭାଗର ସଚିବମାନଙ୍କୁ ଆନୁଷଙ୍ଗିକ ଖର୍ଚ୍ଚ (Contingent Expenditure) କ୍ଷେତ୍ରରେ ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି।
ସେହିପରି ଦ୍ରବ୍ୟ କ୍ରୟ କ୍ଷେତ୍ରରେ ବିଭାଗୀୟ ମୁଖ୍ୟମାନେ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଏବଂ ସଚିବମାନେ ୨୦ କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥ ମଞ୍ଜୁର କରିପାରିବେ। ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ କ୍ରୟ କିମ୍ବା ପରାମର୍ଶଦାତା ସେବା ନିଯୁକ୍ତି ପାଇଁ କ୍ୟାବିନେଟ୍ଙ୍କ ମଞ୍ଜୁରୀ ବାଧ୍ୟତାମୂଳକ କରାଯାଇଛି।
ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦେଇ ଜଳସମ୍ପଦ, ପୂର୍ତ୍ତ ଏବଂ ଶକ୍ତି ଭଳି ବିଭାଗଗୁଡ଼ିକୁ ଯୋଗାଯୋଗ, ଜଳସେଚନ ଓ ବିଦ୍ୟୁତ ପ୍ରକଳ୍ପ ପାଇଁ ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷମତା ପ୍ରଦାନ କରାଯାଇଛି। ଜିଲ୍ଲା ସ୍ତରରେ ଜିଲ୍ଲାପାଳମାନଙ୍କୁ ମଧ୍ୟ ଅଧିକ ଶକ୍ତିଶାଳୀ କରାଯାଇଛି। ଏବେ ଜିଲ୍ଲାପାଳମାନେ ଅଣ-ଆବାସିକ ଗୃହ ନିର୍ମାଣ ପାଇଁ ୮ କୋଟି ଏବଂ ପାନୀୟ ଜଳ ପ୍ରକଳ୍ପ ପାଇଁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥ ଅନୁମୋଦନ କରିପାରିବେ। ଏହି ପରିବର୍ତ୍ତନ ଫଳରେ ସରକାରୀ ସେବା ପ୍ରଦାନ ପ୍ରକ୍ରିୟା ଅଧିକ ସହଜ ଓ ତ୍ୱରାନ୍ୱିତ ହେବ ବୋଲି ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର ଜଣାଇଛନ୍ତି।

