ଭୁବନେଶ୍ୱର: ଶୀଘ୍ର ପୈଠ କରିଦିଅନ୍ତୁ ଗାଡିର ବକେୟା ଚାଲାଣ। କାରଣ ମିଳୁଛି ବଡ଼ ରିହାତି। ବକେୟା ଇ-ଚାଲାଣରେ ୫୦ ପ୍ରତିଶତ ରିହାତି। ରାଜ୍ୟରେ ବକେୟା ଥିବା ଟ୍ରାଫିକ୍ ଚାଲାଣଗୁଡ଼ିକର ସମାଧାନ ସହିତ ଗାଡ଼ି ଚାଳକଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା
ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ନୂତନ ବିଜ୍ଞପ୍ତି ଅନୁଯାୟୀ, ଆଗାମୀ ଜାତୀୟ ଲୋକ ଅଦାଲତରେ ପୁରୁଣା ଇ-ଚାଲାଣ ଏବଂ ଟ୍ରାଫିକ୍ ଜରିମାନା ଉପରେ ବ୍ୟାପକ ରିହାତି ପ୍ରଦାନ କରାଯିବ।
ଦୀର୍ଘ ଦିନ ଧରି ଅଦାଲତରେ ପଡ଼ି ରହିଥିବା ହଜାର ହଜାର ମାମଲାର ସମାଧାନ କରିବା ସହ ବିଚାର ବିଭାଗୀୟ ବୋଝ ହ୍ରାସ କରିବା ଲକ୍ଷ୍ୟରେ ସରକାର ଏହି ୱାନ୍ ଟାଇମ୍ ସେଟେଲମେଣ୍ଟ ଯୋଜନା ପ୍ରଣୟନ କରିଛନ୍ତି। ଏହି ନିର୍ଦ୍ଦେଶନାମା ଅନୁଯାୟୀ, ବିଭିନ୍ନ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ବ୍ୟକ୍ତିମାନେ ସ୍ୱଳ୍ପ ଜରିମାନା ଦେଇ ନିଜର ମାମଲାକୁ ସବୁଦିନ ପାଇଁ ରଫାଦଫା କରିପାରିବେ।

