ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ୬ଜଣ ବିଜେଡି ବିଧାୟକ ମୁଖ୍ୟ ସଚେତକଙ୍କ କାରଣ ଦର୍ଶାଅ ନୋଟିସର ଜବାବ ଦେଇଛନ୍ତି। ଗତ ୧୭ତାରିଖରେ ଦଳର ୬ଜଣ ବିଧାୟକଙ୍କୁ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ନୋଟିସ ଜାରି କରିଛନ୍ତି।
ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ କରିଥିବା ୬ ଜଣ ବିଧାୟକ କାରଣ ଦର୍ଶାଅ ନୋଟିସର ଜବାବ ରଖିଛନ୍ତି। ବିଧାୟକ ଚକ୍ରମଣି କହଁର, ନବକିଶୋର ମଲ୍ଲିକ, ସୌଭିକ ବିଶ୍ୱାଳ, ସୁଭାଷିନୀ ଜେନା, ରମାକାନ୍ତ ଭୋଇ ଓ ଦେବୀରଞ୍ଜନ ତ୍ରିପାଠୀଙ୍କୁ ନୋଟିସ ହୋଇଥିଲା। ଏନେଇ ସେମାନେ ପ୍ରମିଳାଙ୍କୁ ଚେତାବନୀମୂଳକ ଜବାବ ରଖିଛନ୍ତି। ଉକ୍ତ କାରଣ ଦର୍ଶାଅ ନୋଟିସରେ ପ୍ରମିଳା ନିର୍ବାଚନ ଆୟୋଗର ନିର୍ଦ୍ଦେଶନାମା, ସୁପ୍ରିମକୋର୍ଟଙ୍କ ରାୟର ଉଲ୍ଲଙ୍ଘନ କରିଛନ୍ତି ବୋଲି ଲେଖିଛନ୍ତି ବିଧାୟକ। ଏଥିପାଇଁ ତାଙ୍କ ନାଁରେ ଫୌଜଦାରୀ ମାମଲା ହୋଇପାରେ ବୋଲି ଚେତାବନୀ ଦେଇଛନ୍ତି। ଏଥିସହ ରାଜ୍ୟସଭା ନିର୍ବାଚନରେ ଜାରି ହୋଇଥିବା ହ୍ୱିପକୁ ନେଇ କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ବିପ୍ କାମ କରେ ନାହିଁ। ହ୍ବିପ୍ ଜାରି କରି ସେ ବେଆଇନ କାର୍ଯ୍ୟ କରିଛନ୍ତି। ଭୋଟ୍ ଦେବା ପାଇଁ କହିବା ଓ ବିରତ ପାଇଁ ପ୍ରବର୍ତ୍ତାଇବା ଏକ ଦଣ୍ଡନୀୟ ଅପରାଧ। ଏଥିପାଇଁ ଭାରତୀୟ ନ୍ୟାୟ ସଂହିତାର ଧାରା-୧୭୧ ଅନୁଯାୟୀ ବର୍ଷେ ଜେଲ୍ ଦଣ୍ଡର ମଧ୍ୟ ପ୍ରାବଧାନ ରହିଛି ବୋଲି ଲେଖିଛନ୍ତି ବିଧାୟକ। ଏଥିପାଇଁ ତାଙ୍କ ବିରୋଧରେ ଫୌଜଦାରୀ ମାମଲା କରିବାକୁ ଉକ୍ତ ଚିଠି ମାଧ୍ୟମରେ ଚେତାବନୀ ଦେଇଛନ୍ତି। ଏହାସହ ତୁରନ୍ତ କାରଣ ଦର୍ଶାଅ ନୋଟିସ୍ ପ୍ରତ୍ୟାହାର କରିବାକୁ ଚେତାବନୀ ଦେବା ସହ ପ୍ରତ୍ୟାହାର ନକଲେ ମାମଲା ସାମ୍ନା କରିବାକୁ ଚେତାଇଛନ୍ତି ୬ଜଣ ବିଧାୟକ।
ରାଜ୍ୟସଭା ନିର୍ବାଚନ ପରେ ବିରୋଧୀ ବିଜୁ ଜନତା ଦଳ କ୍ରସ ଭୋଟିଂ କରିଥିବା ୬ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ୬ଜଣ ବିଧାୟକଙ୍କୁ ନୋଟିସ ଜାରି କରିଥିଲେ। ସେମାନଙ୍କୁ ଆଜି ଶୁକ୍ରବାର ଭିତରେ ଏନେଇ ଉତ୍ତର ରଖିବାକୁ କୁହାଯାଇଥିଲା। ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଜବାବ ରଖିବାକୁ ନୋଟିସରେ କୁହାଯାଇଥିଲା।
