ତିରୁମାଲା: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଲା ତିରୁପତି ମନ୍ଦିରରେ ଚେନ୍ନାଇର ଜଣେ ଭକ୍ତ ଗୁରୁବାର ଦିନ ୧୨୧ କିଲୋ ସୁନା ଓ ହୀରା ଖଚିତ ଅଳଙ୍କାର ଦାନ କରିଛନ୍ତି । ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୦୮ କୋଟି ଟଙ୍କା ହେବ । ଚେନ୍ନାଇର ବ୍ୟବସାୟୀ ବର୍ଦ୍ଧମାନ ଜୈନ ଏବଂ ତାଙ୍କ ପତ୍ନୀ ରାଧିକା ଜୈନ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ ଉପସ୍ଥିତିରେ ଏହି ମୂଲ୍ୟବାନ ଅଳଙ୍କାରଗୁଡ଼ିକୁ ତିରୁମାଲା ତିରୁପତି ଦେବସ୍ଥାନମ୍ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି । ଟିଟିଡି ସୂଚନା ଅନୁଯାୟୀ, ତିରୁପତି ମନ୍ଦିର ଇତିହାସରେ କୌଣସି ଜଣେ ଭକ୍ତଙ୍କ ପକ୍ଷରୁ ଏହା ସବୁଠାରୁ ବଡ଼ ଦାନ । ୮ଟି ବାକ୍ସରେ ଅଣାଯାଇଥିବା ଏହି ଦାନରେ ୯ଟି ସେଟ୍ରେ ମୋଟ୍ ୪୫ ପ୍ରକାରର ଗହଣା ଏବଂ ୨୩୮.୨ କ୍ୟାରେଟ୍ର ହୀରା ସାମିଲ ରହିଛି । ଏହି ଅଳଙ୍କାରଗୁଡ଼ିକୁ ତିଆରି କରିବା ପାଇଁ ପ୍ରାୟ ୧୫ ମାସ ସମୟ ଲାଗିଥିଲା । ଏଥିରେ ଭଗବାନ ଭେଙ୍କଟେଶ୍ୱରଙ୍କ ପାଇଁ ମୁକୁଟ, ବାଘ ନଖ, ବିଭିନ୍ନ ପ୍ରକାରର ହାର ଏବଂ ପାଦ ଅଳଙ୍କାର ସମେତ ୧୦୬ କିଲୋ ସୁନା ଗହଣା ରହିଥିବା ବେଳେ ଦେବୀ ଶ୍ରୀ ପଦ୍ମାବତୀ ଅମ୍ମାଭାରୁଙ୍କ ପାଇଁ ୧୫ କିଲୋ ଓଜନର ଅଳଙ୍କାର ଓ ପୋଷାକ ଭେଟି ଦିଆଯାଇଛି ।
