ଚୀନକୁ ଭାରତର କଡ଼ା ଜବାବ; ମାନଚିତ୍ରରେ ସାମିଲ ହେଲା ଅରୁଣାଚଳ ପ୍ରଦେଶର ୨୭ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନର ନାମ

India on china map

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳ ଓ ସ୍ଥାନଗୁଡ଼ିକର ନାମ ବାରମ୍ବାର ବଦଳାଇବାକୁ ଚୀନ୍‌ କରିଆସୁଥିବା କୁତ୍ସିତ ପ୍ରୟାସକୁ ଭାରତ ଜବରଦସ୍ତ କାଉଣ୍ଟର କରିଛି । ବେଜିଂର ଏଭଳି ଅମୂଳକ ଓ କାଳ୍ପନିକ ନାମକରଣକୁ ଖାରଜ କରି ଭାରତ ସରକାର ଅରୁଣାଚଳ ପ୍ରଦେଶର ୨୭ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ତଥା ଭୌଗଳିକ କ୍ଷେତ୍ରର ମାନକ ନାମକୁ ଅଫିସିଆଲ୍‌ ଭାରତୀୟ ମାନଚିତ୍ରରେ ସାମିଲ କରିଛନ୍ତି ।

ଭାରତୀୟ ସର୍ବେକ୍ଷଣ ବିଭାଗ ପକ୍ଷରୁ ଏହି ସ୍ଥାନଗୁଡ଼ିକୁ ଆନୁଷ୍ଠାନିକ ଭାବେ ମାନଚିତ୍ରରେ ଚିହ୍ନଟ କରାଯାଇଛି, ଯାହାଫଳରେ ସେଗୁଡ଼ିକର ସଠିକ୍ ପରିଚୟ ସୁନିଶ୍ଚିତ ହୋଇପାରିବ । ଭାରତ ସରକାର ପୁଣିଥରେ ସ୍ପଷ୍ଟ କରିଛନ୍ତି ଯେ, ଅରୁଣାଚଳ ପ୍ରଦେଶ ସର୍ବଦା ଭାରତର ଏକ ଅଭିନ୍ନ ଏବଂ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଆସିଛି ଏବଂ ଆଗକୁ ମଧ୍ୟ ରହିବ। ଚୀନ୍‌ର ଏଭଳି ଅମୂଳକ କାର୍ଯ୍ୟାନ୍ୱୟନ ଦ୍ୱାରା ଜମିମାଳିକାନା କିମ୍ବା ବାସ୍ତବ ସ୍ଥିତିରେ କୌଣସି ପରିବର୍ତ୍ତନ ହେବ ନାହିଁ ।

ନୂଆ ଭାବେ ଅଫିସିଆଲ୍‌ ମାନଚିତ୍ରରେ ସାମିଲ ହୋଇଥିବା ୨୭ଟି ପ୍ରମୁଖ ସ୍ଥାନ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟସ୍ଥ ‘ଲୋଙ୍ଗ ଜୁ’ ଅଞ୍ଚଳ ମଧ୍ୟ ରହିଛି । ୧୯୫୯ ମସିହାରେ ଯେତେବେଳେ ଚୀନ୍ ସେନା ଏଠାରେ ପ୍ରଥମ କରି ଅନୁପ୍ରବେଶ କରିଥିଲା, ସେତେବେଳେ ଏହି ଅଞ୍ଚଳରେ ହିଁ ଭାରତ ଓ ଚୀନ୍ ମଧ୍ୟରେ ପ୍ରଥମ ସାମରିକ ସଂଘର୍ଷ ହୋଇଥିଲା।

ଏହାବ୍ୟତୀତ ଉପର ସୁବନସିରି ଜିଲ୍ଲାର ମାଜା ଗାଁ, ବିସା ଗାଁ ଏବଂ ରଣନୈତିକ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ପର୍ବତ ଦର୍ରା—ଡ୍ଜୋ ଲା, ରିଜା ଲା, ପୁକୁର ଲା ଏବଂ ଥାଗ ଲା ଦର୍ରାକୁ ମଧ୍ୟ ମାନଚିତ୍ରରେ ଅନ୍ତର୍ଭୁକ୍ତ କରାଯାଇଛି। ୧୯୬୨ ମସିହା ଭାରତ-ଚୀନ୍ ଯୁଦ୍ଧର ପ୍ରାରମ୍ଭିକ ସଂଘର୍ଷ ଏହି ଥାଗ ଲା ଦର୍ରା ଅଞ୍ଚଳରେ ହିଁ ଘଟିଥିଲା।

ସେହିପରି ପୂର୍ବ ଅରୁଣାଚଳର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯେପରିକି ଚାଙ୍ଗଲାଙ୍ଗ ଜିଲ୍ଲାର ଜୟରାମପୁର, ଶମ୍ଭୁ ସୋବରୋବ, ବଡ଼ କୁଣ୍ଡୁନ, ଛୋଟ କୁଣ୍ଡୁନ, ଧନବାଡ଼ି, ପ୍ରୀତନଗର, ତେରିତନଗର, ରାମନଗର-ଜସୱନ୍ତଗଡ଼, ସାଗର, ପଦ୍ମା, ଜ୍ୟୋତିନଗର, ବୈଶାଖୀ ଗାଁ, ଶେର-ଏ-ଥାପା ସ୍ମାରକ, ଛୋଟ ରୋପୁକ, ବଡ଼ ରୋପୁକ, ଶିବାଜୀ ନଗର, ସୁନପୁରା, କମଲାଙ୍ଗ ନଗର ଏବଂ ପ୍ରସିଦ୍ଧ ବୁଦ୍ଧ ମନ୍ଦିର ଭଳି ପ୍ରମୁଖ ସ୍ଥାନଗୁଡ଼ିକୁ ଏହି ତାଲିକାରେ ସ୍ଥାନ ମିଳିଛି।

ଉଲ୍ଲେଖଯୋଗ୍ୟ, ଚୀନ୍‌ ଗତ କିଛି ବର୍ଷ ହେବ ଅରୁଣାଚଳ ପ୍ରଦେଶକୁ ‘ଜାଙ୍ଗନାନ୍’ ନାମରେ ଅଭିହିତ କରି ସେଠାକାର ବିଭିନ୍ନ ସ୍ଥାନର ନିଜସ୍ୱ ଢ଼ଙ୍ଗରେ ନାମକରଣ କରିଆସୁଛି। ଏପରିକି ୨୦୧୭ରେ ୬ଟି, ୨୦୨୧ରେ ୧୫ଟି ଏବଂ ୨୦୨୩ରେ ୧୧ଟି ସ୍ଥାନର କାଳ୍ପନିକ ଚୀନୀ ନାମ ଜାରି କରିଥିଲା। ଭାରତ ସରକାର ପ୍ରତିଥର ଏହି ଅବାସ୍ତବ ଦାବିକୁ ଦୃଢ଼ତାର ସହ ପ୍ରତ୍ୟାଖ୍ୟାନ କରିଆସିଛନ୍ତି ଏବଂ ଏଭଳି କାର୍ଯ୍ୟ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ କରିବାର ପ୍ରୟାସକୁ ପ୍ରଭାବିତ କରୁଛି ବୋଲି କହିଛନ୍ତି।

Share