ମାତ୍ର ୩ରୁ ୪ ଘଣ୍ଟାରେ ମିଳିବ ଏଲପିଜି ସିଲିଣ୍ଡର, ‘ଇଣ୍ଡେନ୍ ଏକ୍ସଟ୍ରାଲାଇଟ୍ ନାଉ’ ସେବା ଲଞ୍ଚ କଲା ଇଣ୍ଡିଆନ ଅଏଲ

Lpg 750x430

ନୂଆଦିଲ୍ଲୀ: ରୋଷେଇ ପାଇଁ ଏଲପିଜି ଗ୍ୟାସ ସିଲିଣ୍ଡର ବୁକ୍ କରିବା ପରେ ଆଉ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଗ୍ରାହକମାନଙ୍କୁ ଅଧିକ ସୁବିଧା ଏବଂ ଦ୍ରୁତ ସେବା ଯୋଗାଇଦେବା ପାଇଁ ଇଣ୍ଡିଆନ ଅଏଲ୍ ପକ୍ଷରୁ ଏକ ନୂଆ ଏବଂ ଆଧୁନିକ ସେବା ଆରମ୍ଭ କରାଯାଇଛି। କମ୍ପାନି ପକ୍ଷରୁ ‘ଇଣ୍ଡେନ୍ ଏକ୍ସଟ୍ରାଲାଇଟ୍ ନାଉ’ ନାମକ ଏକ ସ୍ୱତନ୍ତ୍ର ସେବା ଲଞ୍ଚ କରାଯାଇଛି, ଯାହା ଅଧୀନରେ ଗ୍ରାହକମାନଙ୍କୁ ମାତ୍ର କିଛି ଘଣ୍ଟା ମଧ୍ୟରେ ଘରେ ସିଲିଣ୍ଡର ପହଞ୍ଚାଇ ଦିଆଯିବ ବୋଲି ଦାବି କରାଯାଇଛି।

ଏହି ନୂଆ ସେବା ମାଧ୍ୟମରେ ଗ୍ରାହକମାନଙ୍କୁ ୧୦ କିଲୋଗ୍ରାମ ଓଜନର ହାଲୁକା ‘କମ୍ପୋଜିଟ୍ ଗ୍ୟାସ ସିଲିଣ୍ଡର’ ଯୋଗାଇ ଦିଆଯିବ। ପାରମ୍ପରିକ ଲୁହା ବା ଷ୍ଟିଲ୍ ସିଲିଣ୍ଡର ତୁଳନାରେ ଏହା ଓଜନରେ ବହୁତ ହାଲୁକା ହୋଇଥିବାରୁ ଏହାକୁ ଘର ଭିତରେ ସ୍ଥାନାନ୍ତର କରିବା କିମ୍ବା ଉଠାଇବା ଅତି ସହଜ ହୋଇଥାଏ।

କମ୍ପାନିର ସୂଚନା ଅନୁଯାୟୀ, ଗ୍ୟାସ ବୁକ୍ କରିବାର ମାତ୍ର ୩ରୁ ୪ ଘଣ୍ଟା ଭିତରେ (ଯଥା: ଯଦି ଆପଣ ସକାଳ ୭ଟାରେ ବୁକ୍ କରନ୍ତି, ତେବେ ୧୦ଟା ସୁଦ୍ଧା) ସିଲିଣ୍ଡର ଆପଣଙ୍କ ଘରେ ପହଞ୍ଚିଯିବ । ଏହା ଆଧୁନିକ ସାମଗ୍ରୀରେ ପ୍ରସ୍ତୁତ ହୋଇଥିବାରୁ ଏଥିରେ କଳଙ୍କି ଲାଗିବାର ଭୟ ନଥାଏ। ଏହାର ସ୍ୱଚ୍ଛ ଡିଜାଇନ୍ ଯୋଗୁଁ ସିଲିଣ୍ଡର ଭିତରେ କେତେ ପରିମାଣର ଗ୍ୟାସ ବାକି ଅଛି, ତାହା ବାହାରୁ ସ୍ପଷ୍ଟ ଜାଣି ହୁଏ।

ନୂ ସଂଯୋଗ ନେବା ସମୟରେ ଅଧିକ କାଗଜପତ୍ରର ଆବଶ୍ୟକତା ପଡ଼ିବ ନାହିଁ । ଗ୍ରାହକମାନେ ନୂତନ ସଂଯୋଗ କିମ୍ବା ରିଫିଲ୍ ଵୁକିଂ ପାଇଁ ବିଭିନ୍ନ ଡିଜିଟାଲ୍ ମାଧ୍ୟମ ବ୍ୟବହାର କରିପାରିବେ । ଆପଣ ‘IndianOil ONE App’, ଇଣ୍ଡିଆନ ଅଏଲର ଗ୍ରାହକ ପୋର୍ଟାଲ୍ କିମ୍ବା ସିଧାସଳଖ ୱାଟ୍ସଆପ୍ ନମ୍ବର 7588888824 ମାଧ୍ୟମରେ ମଧ୍ୟ ସହଜରେ ବୁକ୍ କରିପାରିବେ । ଇଣ୍ଡେନର ସ୍ଥାନୀୟ ବିତରକ ନେଟୱାର୍କ ଏବଂ କିଛି ବଛାବଛା ରିଟେଲ୍ ଆଉଟଲେଟ୍ ଜରିଆରେ ଏହି ସେବା ଉପଲବ୍ଧ କରାଯାଉଛି । କମ୍ପାନିର ଏଭଳି ପଦକ୍ଷେପ ଦ୍ୱାରା ଛୋଟ ପରିବାର ଏବଂ ଗ୍ରାହକମାନେ ବିଶେଷ ଭାବେ ଉପକୃତ ହେବେ ବୋଲି ଆଶା କରାଯାଉଛି ।

Share