ରୁଷ ତେଲକୁ ନେଇ ଭାରତର ନୂଆ ଟେନସନ୍, ଆମେରିକା ସିନେଟ୍‌ରେ ବିଲ୍ ପାସ୍

Oil

ନୂଆଦିଲ୍ଲୀ: ରୁଷ ତେଲକୁ ନେଇ ଭାରତର ନୂଆ ଟେନସନ। US ସିନେଟ୍ ରେ ପାସ୍ ରୁଷ ପ୍ରତିବନ୍ଧକ ବିଲ। ରୁଷ ତେଲ କିଣୁଥିବା ଦେଶ ଉପରେ ଆମେରିକାର ନଜର। ଭାରତ-ଚୀନକୁ ପ୍ରଭାବିତ କରିପାରେ ନୂଆ ପ୍ରତିବନ୍ଧକ ବିଲ। ରୁଷ ଉପରେ ଆର୍ଥିକ ଚାପ ବଢ଼ାଇବା ଲକ୍ଷ୍ୟରେ ଆମେରିକା ସିନେଟ୍ ଏକ କଠୋର ପ୍ରତିବନ୍ଧକ ବିଲ୍ ପାରିତ କରିଛି। ରୁଷଠାରୁ ବହୁ ପରିମାଣରେ ତେଲ ଓ ଗ୍ୟାସ୍ କିଣୁଥିବା ଦେଶଗୁଡ଼ିକୁ ଟାର୍ଗେଟ୍ କରିବାର ବ୍ୟବସ୍ଥା ଏଥିରେ ରହିଥିବାରୁ ଭାରତ ଓ ଚୀନ ଉପରେ ଏହାର ପ୍ରଭାବ ପଡ଼ିପାରେ।

‘Lindsey Graham Sanctioning Russia and Iran Act of 2026’ ନାମକ ବିଲ୍ ସିନେଟରେ ୮୬-୧୧ ଭୋଟରେ ପାରିତ ହୋଇଛି। ତେବେ ଏହା ଏଯାଏଁ ଆଇନରେ ପରିଣତ ହୋଇନାହିଁ। ପରବର୍ତ୍ତୀ ପର୍ଯ୍ୟାୟରେ ଆମେରିକାର House of Representativesର ଅନୁମୋଦନ ଆବଶ୍ୟକ। ବିଲ୍ ର ଏକ ପ୍ରମୁଖ ବ୍ୟବସ୍ଥା ଅନୁସାରେ, ରୁଷର ଅଶୋଧିତ ତେଲ କିମ୍ବା ଗ୍ୟାସ୍ ର ପାଞ୍ଚଟି ସର୍ବବୃହତ୍ କ୍ରେତା ଦେଶରୁ ଆମେରିକାକୁ ଆସୁଥିବା ସାମଗ୍ରୀ ଉପରେ ରାଷ୍ଟ୍ରପତି ସର୍ବାଧିକ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ଲଗାଇପାରିବେ। ଏହି ବ୍ୟବସ୍ଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅତିରିକ୍ତ ଟାରିଫ୍ କ୍ଷମତା ଦେବ। ଭାରତ ଓ ଚୀନ ରୁଷ ଶକ୍ତିର ପ୍ରମୁଖ କ୍ରେତା ହୋଇଥିବାରୁ ଉଭୟ ଦେଶ ଉପରେ ନୂଆ ଚାପ ସୃଷ୍ଟି ହୋଇପାରେ।

କେବଳ ତେଲ କ୍ରେତା ଦେଶ ନୁହେଁ, ରୁଷର ବରିଷ୍ଠ ଅଧିକାରୀ, ଅଲିଗାର୍କ, ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ସହ ପାଶ୍ଚାତ୍ୟ ପ୍ରତିବନ୍ଧକକୁ ଏଡ଼ାଇ ରୁଷ ତେଲ ପରିବହନରେ ବ୍ୟବହୃତ କଥିତ ‘Shadow Fleet’କୁ ମଧ୍ୟ ବିଲ୍ ରେ ଟାର୍ଗେଟ୍ କରାଯାଇଛି। ଇରାନ ସମ୍ପର୍କିତ କେତେକ ପ୍ରତିବନ୍ଧକର ଅବଧି ବଢ଼ାଇବା ବ୍ୟବସ୍ଥା ମଧ୍ୟ ରହିଛି।ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ହେଉଛି ରୁଷର ତେଲ ଓ ଗ୍ୟାସ୍ ରପ୍ତାନିରୁ ହେଉଥିବା ଆୟକୁ ହ୍ରାସ କରି ମସ୍କୋ ଉପରେ ଚାପ ବଢ଼ାଇବା। ଆମେରିକୀୟ ସାଂସଦମାନଙ୍କ ଯୁକ୍ତି ହେଉଛି, ଏହି ଶକ୍ତି ରପ୍ତାନିରୁ ଆସୁଥିବା ଅର୍ଥ ୟୁକ୍ରେନ୍ ବିରୋଧରେ ରୁଷର ଯୁଦ୍ଧକୁ ପରୋକ୍ଷ ଭାବେ ସହାୟତା କରୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା, ବିଲ୍ ଟି House of Representativesରେ ପାରିତ ହୋଇ ଆଇନର ରୂପ ନେଉଛି କି ନାହିଁ ଏବଂ ଟାରିଫ୍ କ୍ଷମତାକୁ ଟ୍ରମ୍ପ ପ୍ରଶାସନ କିପରି ବ୍ୟବହାର କରୁଛି। ଭାରତ ପାଇଁ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ, କାରଣ ରୁଷ ଭାରତର ଅଶୋଧିତ ତେଲ ଯୋଗାଣର ଏକ ପ୍ରମୁଖ ଉତ୍ସ।

Share