ଦେବଗଡ: ବିଷାକ୍ତ ସାପ କାମୁଡାରେ ଆଜି ଜଣେ ୨ ମାସର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି । ତିଳେଇବଣି ବ୍ଳକ ଝରାଗୋଗୁଆ ପଞ୍ଚାୟତ ଅନ୍ତର୍ଗତ ତିଳେଇମାଳ ଗ୍ରାମରେ ଏଭଳି ଅଘଟଣ ହୋଇଛି । ସେପଟେ ବାପ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣା ପଡିଛି । ମୃତ ଶିଶୁ ଜଣକ ନୀତେଶ କିଷାନ (୨ ମାସ ) ହୋଇଥିବା ବେଳେ ଗୁରୁତର ପିତା ରାମଚନ୍ଦ୍ର କିଷାନ । ସୂଚନା ଅନୁଯାଇ ଅନ୍ୟଦିନ ଭଳି ଗତକାଲି ରାତିରେ ମଧ୍ୟ ରାମଚନ୍ଦ୍ରର ପରିବାର ଖିଆପିଆ ସାରି ଶୋଇ ପଡ଼ିଥିଲେ । ତେବେ ସକାଳ ୬. ୩୦ ମିନଟରେ ଘର ବାରଣ୍ଡାରେ ଶୋଇଥିବା ସମୟରେ ଶିଶୁପୁତ୍ରଟି ଉଠି ନଥିବା ବେଳେ ବାପା ରାମଚନ୍ଦ୍ର ହଠାତ ଗୁରୁତର ହେବା ସହ ତାଙ୍କ ଗୋଡ଼ କାମ କରିନଥିଲା ।
ପରିବାର ଲୋକେ ଯାଞ୍ଚ କରିବାରୁ ରାମଚନ୍ଦ୍ରଙ୍କ ଗୋଡ଼ରେ ସାପ କାମୁଡ଼ିଥିବା ଚି଼ହ୍ନ ଦେଖିବା ପରେ ସର୍ପାଘାତ ରେ ଏଭଳି ଅଘଟଣ ଘଟିଥିବା ଜଣା ପଡିଥିଲା । ତେବେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପରିବାର ଲୋକ ସର୍ପାଘାତରେ ଗୁରୁତର ବାପ ପୁଅଙ୍କୁ ଡାକ୍ତରୀ ଚିକିତ୍ସା ପରିବର୍ତ୍ତେ ଝଡାଫୁଙ୍କା କରିଥିଲେ । ଝଡାଫୁଙ୍କା କରୁଥିବା ବେଳେ ଶିଶୁପୁତ୍ରର ଜୀବନ ଯାଇଥଇବା ସନ୍ଦେହ ହୋଇଛି । ଗୁରୁତର ପିତା ରାମଚନ୍ଦ୍ର ମଧ୍ୟ ଝଡାଫୁଙ୍କାରେ ଲାଗିଥିବା ବେଳେ କେତେକ ଯୁବକ ବୂଝାସୁଝା କରି ଚିକିତ୍ସା ପ୍ରଥମେ ତିଳେଇବଣି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତୀ କରିଥିଲେ । ହେଲେ ଅବସ୍ଥା ଶଙ୍କଟ୍ଟାପନ୍ନ ହେବାରୁ ମଧ୍ୟାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେ ଏବେ ମଧ୍ୟ ଚିକିତ୍ସାଧୀନ ଥିବା ଜଣା ପଡିଛି ।
