ଭୁବନେଶ୍ୱର : ବାଲିଅନ୍ତା ଥାନା ଘେରିଲେ ସୁଦ୍ଧ ଷଡ଼ଙ୍ଗୀ ଗ୍ରାମବାସୀ । ସୌମ୍ୟରଂଜନ ହତ୍ୟାକାଣ୍ଡ ପରେ ସୁଦ୍ଧ ଷଡ଼ଙ୍ଗୀ ଗାଁର ଲକ୍ଷ୍ମୀଧର ସ୍ବାଇଁଙ୍କୁ ପିଟି ପିଟି ହତ୍ୟା ଉଦ୍ୟମ ଅଭିଯୋଗକୁ ନେଇ ଉତ୍ତେଜନା । ଲକ୍ଷ୍ମୀଧର କୋମାରେ ଥିବା ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଏହି ମାମଲାରେ ଦୋଷୀଙ୍କୁ ଗିରଫ ଦାବିରେ ଗାଁ ଲୋକ ଥାନା ଘେରାଉ କରିଛନ୍ତି ।
ଅଭିଯୋଗ ଅନୁଯାୟୀ, ରବିବାର ସନ୍ଧ୍ୟାରେ ଲକ୍ଷ୍ମୀଧର ବ୍ରାହ୍ମଣ ଷଡ଼ଙ୍ଗୀ ବଜାରକୁ ପରିବା କିଣିବାକୁ ଯାଇଥିବା ବେଳେ କିଛି ଯୁବକ ସ୍କୁଲ ଘରର ତାଲା ଭାଙ୍ଗୁଥିବା ଦେଖିଥିଲେ । ଏହାକୁ ବିରୋଧ କରିବାରୁ ଯୁବକମାନେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ରାସ୍ତାରେ ମାଡ଼ ମାରିଥିଲେ । ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କାହିଁକି ତୁରନ୍ତ ପଦକ୍ଷେପ ନେଲାନି, ତାକୁ ନେଇ ତେଜିଛି ଅସନ୍ତୋଷ ।
ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗାଁ ଲୋକ । ପରିସ୍ଥିତି ନିୟନ୍ତ୍ରଣ ପାଇଁ ଥାନା ସମ୍ମୁଖରେ ମୁତୟନ ହେଲା ଗୋଟିଏ ପ୍ଲାଟୁନ୍ ପୋଲିସ ଫୋର୍ସ । ଘଟଣାସ୍ଥଳରେ ଦୁଇ ଜଣ ଆଡିସନାଲ୍ ଡିସିପିଙ୍କ ସମେତ ଏସିପି ଉପସ୍ଥିତ ଅଛନ୍ତି । ତିନିଟି ଥାନାର ତିନି ଜଣ ଆଇଆଇସି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବାଲିଅନ୍ତା, ବାଲିପାଟଣା ତଥା ନିକଟବର୍ତ୍ତି ଥାନାର IIC । ଉତ୍ତେଜିତ ଗ୍ରାମବାସୀଙ୍କୁ ପୋଲିସ ପକ୍ଷରୁ ବୁଝାସୁଝା କରାଯାଉଛି ।
