୨ଟି ଆମେରିକୀୟ ଯୁଦ୍ଧ ଜାହାଜକୁ ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ ପରେ ପାଲଟା ଆକ୍ରମଣ କଲା ଆମେରିକା

Iran us

ନୂଆଦିଲ୍ଲୀ: ଆମେରିକୀୟ ଯୁଦ୍ଧ ଜାହାଜକୁ ଇରାନର କ୍ଷେପଣାସ୍ତ୍ର ମାଡ଼ । ୩ ତୈଳ ଟ୍ୟାଙ୍କର ଉପରେ ଆମେରିକାର ପ୍ରତିଆକ୍ରମଣ । ଦୁଇଟି ଟ୍ୟାଙ୍କର ଅଚଳ, ଖାଲି ଥିବା ତୃତୀୟ ଜାହାଜ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଥିବା ସେଣ୍ଟକମ୍ ର ଦାବି । ଆଇଆରଜିସି ଦୁଇଟି ଆମେରିକୀୟ ଯୁଦ୍ଧଜାହାଜକୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିବା ପରେ ପାଲଟା ଆକ୍ରମଣ କରିଛି ଆମେରିକା । ଆଇଆରଜିସି ସହ ସମ୍ପୃକ୍ତ ତିନିଟି ଇରାନୀ ଅଶୋଧିତ ତୈଳବାହୀ ଟ୍ୟାଙ୍କରକୁ ଟାର୍ଗେଟ୍ କରାଯାଇଥିବା ଆମେରିକାର ସେଣ୍ଟ୍ରାଲ କମାଣ୍ଡ ବା ସେଣ୍ଟକମ୍ କହିଛି । ଇରାନର ଆକ୍ରମଣ ବେଳେ ଆମେରିକାର ଗୋଟିଏ ବିମାନବାହୀ ଯୁଦ୍ଧଜାହାଜ ଓ ଗୋଟିଏ ଗାଇଡେଡ୍ ମିସାଇଲ୍ ଡେଷ୍ଟ୍ରୟର ଆକ୍ରମଣକୁ ଏଡ଼ାଇବାରେ ସଫଳ ହୋଇଥିଲେ ।

ଏହି ଘଟଣାରେ କୌଣସି ଆମେରିକୀୟ ସୈନିକ ଆହତ ହୋଇନଥିବା ଜଣାପଡିଛି । ଏହାପରେ ଆମେରିକୀୟ ସେନା ଇରାନର ତିନିଟି ଟ୍ୟାଙ୍କର ଉପରେ ଆକ୍ରମଣ କରିଥିଲା । ଆମେରିକା ଟାର୍ଗେଟ୍ କରିଥିବା ପ୍ରଥମ ଜାହାଜ ‘ଏମ୍ /ଟି ଡାଉନି’ । ଇରାନର ପ୍ରମୁଖ ତୈଳ ରପ୍ତାନି କେନ୍ଦ୍ର ଖାର୍ଗ ଦ୍ୱୀପ ନିକଟରେ ଏହାକୁ ଆକ୍ରମଣ କରାଯାଇଥିଲା । ଆକ୍ରମଣ ପରେ ଜାହାଜଟି ସ୍ଥାୟୀ ଭାବେ ଅଚଳ ହୋଇଥିବା ସେଣ୍ଟକମ୍ ଦାବି କରିଛି। ଦ୍ୱିତୀୟ ଟ୍ୟାଙ୍କର ‘ଏମ୍ /ଟି ଷ୍ଟାର୍କ–୧’କୁ ହର୍ମୁଜ୍ ନିକଟସ୍ଥ ଜାସ୍କ ଅଞ୍ଚଳରେ ଟାର୍ଗେଟ୍ କରାଯାଇଥିଲା । ଆକ୍ରମଣ ପୂର୍ବରୁ ଆମେରିକୀୟ ସାମରିକ ବିମାନ ପକ୍ଷରୁ ଜରୁରୀକାଳୀନ ରେଡିଓ ଚ୍ୟାନେଲ୍ ରେ ଜାହାଜକୁ ସତର୍କ କରାଯାଇଥିଲା । ଜାହାଜର ପଛପାର୍ଶ୍ୱ ଖାଲି କରିବା ପାଇଁ କର୍ମଚାରୀଙ୍କୁ ୧୦ ମିନିଟ୍ ସମୟ ଦିଆଯାଇଥିଲା ।

ପରବର୍ତ୍ତୀ ଆକ୍ରମଣରେ ଏହି ଟ୍ୟାଙ୍କର ମଧ୍ୟ ଅଚଳ ହୋଇଥିବା ଆମେରିକା କହିଛି । ତୃତୀୟ ଟ୍ୟାଙ୍କର ‘ଏମ୍ /ଟି କାଇଲୋ’, ଯାହା ‘ନକ୍ସେନ୍ ’ ନାମରେ ମଧ୍ୟ ପରିଚିତ । ଓମାନ ଉପସାଗରରେ ଏହାକୁ ଏକାଧିକ ଥର ଆକ୍ରମଣ କରାଯାଇଥିଲା। ଟ୍ୟାଙ୍କରଟି ସେତେବେଳେ ଖାଲି ଥିଲା । ଆକ୍ରମଣ ପୂର୍ବରୁ କର୍ମଚାରୀଙ୍କୁ ଜାହାଜ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାପରେ ଜାହାଜର ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ୍ କରି ସମ୍ପୂର୍ଣ୍ଣ ଧ୍ୱଂସ କରାଯାଇଥିବା କହିଛି ସେଣ୍ଟକମ୍ । ଦୁଇଟି ଜାହାଜ ଅଚଳ ଏବଂ ତୃତୀୟଟି ଧ୍ୱଂସ ହୋଇଥିବା କଥା ଆମେରିକୀୟ ସେନା ଦାବି କରିଛି । କିନ୍ତୁ ଇରାନ ପକ୍ଷରୁ କୌଣସି ସରକାରୀ ସ୍ପଷ୍ଟୀକରଣ ଆସିନାହିଁ। ସେଣ୍ଟକମ୍ ମୁଖ୍ୟ ଆଡମିରାଲ୍ ବ୍ରାଡ୍ କୁପରଙ୍କ କହିବା ଅନୁସାରେ, ଆମେରିକାର ଦୁଇଟି ଜାହାଜକୁ ଟାର୍ଗେଟ୍ କଲେ ଇରାନକୁ ତାଠାରୁ ଅଧିକ ଆର୍ଥିକ ମୂଲ୍ୟ ଦେବାକୁ ପଡ଼ିବ ।

ଏହି ସନ୍ଦେଶ ଦେବା ପାଇଁ ତିନିଟି ତୈଳ ଟ୍ୟାଙ୍କରକୁ ଆକ୍ରମଣ କରାଯାଇଛି । ଆମେରିକୀୟ ସୈନ୍ୟଙ୍କ ସୁରକ୍ଷା ପାଇଁ ଆବଶ୍ୟକ ହେଲେ ଇରାନର ସମୁଦ୍ରରେ ଥିବା ତୈଳବାହୀ ଜାହାଜଗୁଡ଼ିକୁ ମଧ୍ୟ ଧ୍ୱଂସ କରାଯାଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି । ଆମେରିକାର ଅଭିଯୋଗ ଅନୁସାରେ, ଏହି ତିନିଟି ଟ୍ୟାଙ୍କର ଆଇଆରଜିସି ଏବଂ ମଧ୍ୟପ୍ରାଚ୍ୟରେ ତାର ସହଯୋଗୀ ସଶସ୍ତ୍ର ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ଦେଉଥିବା ବହୁ କୋଟି ଡଲାରର ଏକ ‘ଛାୟା ନେଟ୍ ୱର୍କ’ର ଅଂଶ। ସମୁଦ୍ରରେ ବାହାରିବା ପରେ ଏହି ଟ୍ୟାଙ୍କରଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଇରାନ ପାଖରେ ସୀମିତ ବ୍ୟବସ୍ଥା ରହିଛି ବୋଲି ୱାଶିଂଟନ୍ କହିଛି ।

ଇରାନ ପ୍ରଥମେ ଖାର୍ଗ ଦ୍ୱୀପର ଲଙ୍ଗର ସ୍ଥଳ ନିକଟରେ ଥିବା ଏକ ଟ୍ୟାଙ୍କର ଉପରେ ଚାରିଟି ଆମେରିକୀୟ କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ଜଣାଇଥିଲା । ଏଥିରେ କୌଣସି ମୃତାହତ ହୋଇନଥିବା ଏବଂ ଜାହାଜର କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ତେବେ ଅନ୍ୟ ଦୁଇଟି ଜାହାଜ ସମ୍ପର୍କରେ ଇରାନ ସରକାରଙ୍କ ପକ୍ଷରୁ କୌଣସି ନିଶ୍ଚିତ ସୂଚନା ଦିଆଯାଇନାହିଁ ।

ଖାର୍ଗ ଦ୍ୱୀପ ଇରାନର ତୈଳ ଅର୍ଥନୀତିର ସବୁଠାରୁ ସମ୍ବେଦନଶୀଳ କେନ୍ଦ୍ର । ଯୁଦ୍ଧ ପୂର୍ବରୁ ଇରାନର ପ୍ରାୟ ୯୦ ପ୍ରତିଶତ ଅଶୋଧିତ ତୈଳ ଏହି ଦ୍ୱୀପ ଦେଇ ରପ୍ତାନି ହେଉଥିଲା । ଖାର୍ଗ ଓ ହର୍ମୁଜ୍ ପ୍ରଣାଳୀ ନିକଟରେ ଟ୍ୟାଙ୍କର ଉପରେ ଆକ୍ରମଣ ଇରାନର ତୈଳ ରପ୍ତାନି ଏବଂ ଆୟ ଉପରେ ସିଧାସଳଖ ଚାପ ସୃଷ୍ଟି କରିପାରେ ।

Share