କୋଲକତା: ଆସନ୍ତା ଶାରଦୀୟ ଦୁର୍ଗାପୂଜାର ମହାଷ୍ଟମୀ ଦିନ ପଶ୍ଚିମବଙ୍ଗର ସବୁ ମଦ ଦୋକାନ ବନ୍ଦ ରହିବ । ଖାଲି ସେତିକି ନୁହେଁ ରାଜ୍ୟରେ ଥିବା ବାର୍ଗୁଡିକ ମଧ୍ୟ ସେଦିନ ବନ୍ଦ ରହିବ । ମା’ ମଣ୍ଡପରେ ପୂଜା ପାଉଥିବା ବେଳେ ରାଜ୍ୟରେ କେହି ଯେମିତି ମଦ୍ୟପାନ ନ କରନ୍ତୁୁ, ସେଥିପାଇଁ ପଶ୍ଚିମବଙ୍ଗ ସରକାର ଏପରି ନିଷ୍ପତି ନେଇଚନ୍ତି । ସୋମବାର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଅଧ୍ୟକ୍ଷତାରେ ପୂଜା କମିଟିର ବୈଠକ ବସି ଏହି ନିଷ୍ପତି ନିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ପୂଜାରେ ପଶ୍ଚିମବଙ୍ଗର ମଦ ଦୋକାନଗୁଡିକରେ ଭିଡ଼ ଲାଗିବା ସହ ଭଲ ବ୍ୟବସାୟ ହୋଇଥାଏ । ତେବେ ମା’ଙ୍କ ପୂଜା ଯେମିତି କୌଣସି ଅପସଂସ୍କୃତି ନ ପଶୁ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ଏପରି କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । ସୋମବାର ମିଲନ ମେଳା ପ୍ରାଙ୍ଗଣରେ ଆୟୋଜିତ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ପୂଜା ମଣ୍ଡପରେ ଡିଜେକୁ ମଧ୍ୟ ବନ୍ଦ କରିବାକୁ ଘୋଷଣା କରିଥିଲେ । ଏହା ଶବ୍ଦ ପ୍ରଦୂଷଣ କରୁଥିବାରୁ ପୂଜା ମଣ୍ଡପଗୁଡିକ ଡିଜେ ନ ବଜାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏପରିକି ଭସାଣରେ ମଧ୍ୟ ଡିଜେ ନ ବଜାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ସେହିପରି ପୂଜା କମିଟିଗୁଡିକ ସନାତନ ସଂସ୍କୃତତିକୁ ଆଘାତ ନ ଦେବା ଭଳି ପୂଜା ପେଣ୍ଡାଲ ପ୍ରସ୍ତୁତ କରିବାକୁ ସେ ଅନୁରୋଧ କରିଥିଲେ ।
