ରେପୋ ରେଟ୍ ହେଉଛି ସେହି ସୁଧହାର, ଯେଉଁ ହାରରେ RBI ଅଳ୍ପ ସମୟ ପାଇଁ ବ୍ୟାଙ୍କଗୁଡ଼ିକୁ ଟଙ୍କା ଋଣ ଦେଇଥାଏ। RBI ରେପୋ ରେଟ୍ ବଢ଼ାଇଲେ ବ୍ୟାଙ୍କଗୁଡ଼ିକ ପାଇଁ RBIଠାରୁ ଟଙ୍କା ଧାର କରିବା ମହଙ୍ଗା ହୋଇଥାଏ। ଏହାର ପ୍ରଭାବ ବ୍ୟାଙ୍କ ଗ୍ରାହକଙ୍କୁ ଦେଇଥିବା ଋଣର ସୁଧହାର ଉପରେ ପଡ଼ିପାରେ। ଫଳରେ ଫ୍ଲୋଟିଂ ରେଟ୍ରେ ଘର ଋଣ, କାର୍ ଋଣ କିମ୍ବା ଅନ୍ୟ ଋଣ ନେଇଥିବା ଗ୍ରାହକଙ୍କ EMI ବଢ଼ିପାରେ। ଅନ୍ୟପଟେ ରେପୋ ରେଟ୍ କମିଲେ ବ୍ୟାଙ୍କର ଋଣ ସୁଧହାର କମିବା ସହ EMI ଉପରେ ମଧ୍ୟ ଆରାମ ମିଳିପାରେ।
ମହଙ୍ଗାଇ ନେଇ RBIର ଚିନ୍ତା
ରେପୋ ରେଟ୍ ବଢ଼ାଇବା ସହ FY27 ପାଇଁ ମୁଦ୍ରାସ୍ଫୀତି ଅନୁମାନ ମଧ୍ୟ ବଢ଼ାଇଛି RBI। କୋର୍ ଇନ୍ଫ୍ଲେସନ୍ର ଅନୁମାନ ୪.୩ ପ୍ରତିଶତରୁ ବଢ଼ାଇ ୪.୪ ପ୍ରତିଶତ କରାଯାଇଛି। ସେହିପରି ଖାଉଟି ମୂଲ୍ୟ ସୂଚକ ବା CPI ଆଧାରିତ ମୁଦ୍ରାସ୍ଫୀତିର ଅନୁମାନ ୫ ପ୍ରତିଶତରୁ ବଢ଼ାଇ ୫.୨ ପ୍ରତିଶତ କରାଯାଇଛି। RBI ଗଭର୍ଣ୍ଣରଙ୍କ ଅନୁସାରେ ଦୁର୍ବଳ ମୌସୁମୀ ବର୍ଷା ଏବଂ ଅଲ୍ ନିନୋର ପ୍ରଭାବ ରବି ଋତୁ ଉପରେ ପଡ଼ିବାର ଆଶଙ୍କା ରହିଛି। ଏହା ମଧ୍ୟ ମୁଦ୍ରାସ୍ଫୀତି ଉପରେ ଚାପ ବଢ଼ାଇପାରେ।
ଲୋନ୍ ଗ୍ରାହକଙ୍କ ପାଇଁ ରେପୋ ରେଟ୍ ବୃଦ୍ଧି ଚିନ୍ତା ବଢ଼ାଇଥିବା ବେଳେ ଭାରତୀୟ ଅର୍ଥନୀତିକୁ ନେଇ ଆସିଛି ଭଲ ଖବର। FY27 ପାଇଁ ଭାରତର ବାସ୍ତବ GDP ବୃଦ୍ଧି ଅନୁମାନକୁ RBI ୬.୭ ପ୍ରତିଶତରୁ ବଢ଼ାଇ ୭.୧ ପ୍ରତିଶତ କରିଛି। ଦ୍ୱିତୀୟ ତ୍ରୈମାସିକ ପାଇଁ GDP ବୃଦ୍ଧି ଅନୁମାନ ୬.୪ ପ୍ରତିଶତରୁ ବଢ଼ାଇ ୭.୨ ପ୍ରତିଶତ କରାଯାଇଛି। ତୃତୀୟ ତ୍ରୈମାସିକ ପାଇଁ ଅନୁମାନ ୬.୫ ପ୍ରତିଶତରୁ ବଢ଼ାଇ ୬.୯ ପ୍ରତିଶତ କରାଯାଇଛି। ଚତୁର୍ଥ ତ୍ରୈମାସିକ ପାଇଁ ୬.୮ ପ୍ରତିଶତର ଅନୁମାନ ଅପରିବର୍ତ୍ତିତ ରହିଛି। ତେବେ ରେପୋ ରେଟ୍ ବୃଦ୍ଧି ପରେ ଆଗକୁ ବ୍ୟାଙ୍କଗୁଡ଼ିକ ଲୋନ୍ ସୁଧହାରରେ କେତେ ପରିବର୍ତ୍ତନ କରୁଛନ୍ତି ଏବଂ ଗ୍ରାହକଙ୍କ EMI ଉପରେ ଏହାର ପ୍ରକୃତ ପ୍ରଭାବ କେତେ ପଡ଼ୁଛି, ତାହା ଉପରେ ଏବେ ନଜର ରହିବ।
