ନବୀନଙ୍କ ବିଦେଶ ଗସ୍ତ ତଦନ୍ତକୁ ବିଜେଡିର ସ୍ୱାଗତ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗସ୍ତର ମଧ୍ୟ ତଦନ୍ତ ଦାବି

୪

ଭୁବନେଶ୍ୱର: ୨୦୨୨-୨୩ ଓ ୨୦୨୩-୨୪ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅବସରପ୍ରାପ୍ତ IAS ଅଧିକାରୀ ଭି.କେ. ପାଣ୍ଡିଆନ୍ ଏବଂ IPS ରବିକାନ୍ତଙ୍କ ବିଦେଶ ଗସ୍ତ ସମ୍ପର୍କରେ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଏହାର ତଦନ୍ତ କରିବେ ।

ସୂଚନାଯୋଗ୍ୟ ଯେ, ବିଭିନ୍ନ ସାମାଜିକ କର୍ମୀଙ୍କ ଅଭିଯୋଗ ଅନୁଯାୟୀ ପୂର୍ବତନ ମୁଖ୍ୟମନ୍ତ୍ରୀ, ଅବସରପ୍ରାପ୍ତ IAS ଅଧିକାରୀ ଏବଂ IPS ରବିକାନ୍ତ ୨୦୨୨-୨୩ ଏବଂ ୨୦୨୩-୨୪ରେ ଅନେକ ଥର ବିଦେଶ ଗସ୍ତ କରିଛନ୍ତି । ବିଭିନ୍ନ RTI ପ୍ରଶ୍ନରୁ ମିଳିଥିବା ତଥ୍ୟ ଅନୁଯାୟୀ ସେମାନଙ୍କ ଜାପାନ ଓ ଇଟାଲୀ ଗସ୍ତର ଖର୍ଚ୍ଚ ବିବରଣୀ ସନ୍ଦେହ ଜନକ, ଅସ୍ୱଚ୍ଛ ଓ ଅସମ୍ପୂର୍ଣ୍ଣ ବୋଲି ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି । ଏହି ଗସ୍ତ ତଥ୍ୟକୁ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଗୁପ୍ତ ରଖାଯାଇଛି, ତେଣୁ ତଥ୍ୟ ଗୁଡ଼ିକର ତାଳ-ମେଳ ରହୁନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏହିସବୁ ଅଭିଯୋଗ ଦୃଷ୍ଟିରୁ ଏହାର ତଦନ୍ତ କରାଯାଇ ପ୍ରକୃତ ସତ୍ୟ ପଦାକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ନବୀନଙ୍କ ବିଦେଶ ଗସ୍ତ ଖର୍ଚ୍ଚର ତଦନ୍ତ ନିର୍ଦ୍ଦେଶ ଉପରେ ପ୍ରତିକ୍ରିୟା ରଖିଛି ବିଜୁ ଜନତା ଦଳ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତଦନ୍ତ ନିର୍ଦ୍ଦେଶକୁ ଦଳ ସ୍ୱାଗତ କରିଛି । ଏଥିସହ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ, ତାଙ୍କ କ୍ୟାବିନେଟ୍ ସହଯୋଗୀ ଓ ବରିଷ୍ଠ ସରକାରୀ ଅଧିକାରୀଙ୍କ ବିଦେଶ ଗସ୍ତର ମଧ୍ୟ ତଦନ୍ତ କରାଯିବା ଉଚିତ ବୋଲି ବିଜେଡି ଦାବି କରିଛି । ବିଜେଡି କହିଛି, ସରକାରୀ କାର୍ଯ୍ୟକଳାପ ଓ ଖର୍ଚ୍ଚ ସମ୍ପର୍କରେ ସବୁକିଛି ଜାଣିବାର ଅଧିକାର ଜନସାଧାରଣଙ୍କର ରହିଛି । ଦଳ ସର୍ବଦା ସ୍ୱଚ୍ଛତା ନୀତିକୁ ଗୁରୁତ୍ୱ ଦେଇଆସିଛି ।

ତେଣୁ ନବୀନଙ୍କ ବିଦେଶ ଗସ୍ତ ସମ୍ପର୍କିତ ତଦନ୍ତକୁ ଦଳର କୌଣସି ଆପତ୍ତି ନାହିଁ । ତେବେ ଏହି ପ୍ରସଙ୍ଗରେ ବିଜେପି ସରକାରଙ୍କୁ ମଧ୍ୟ ସମାଲୋଚନା କରିଛି ବିଜେଡି । ଦଳର ଅଭିଯୋଗ ଅନୁଯାୟୀ, ଡବଲ୍ ଇଞ୍ଜିନ୍ ସରକାର ଯେତେବେଳେ ଅସୁବିଧାରେ ପଡ଼ୁଛନ୍ତି, ସେତେବେଳେ ଜନସାଧାରଣଙ୍କ ପ୍ରକୃତ ସମସ୍ୟାରୁ ଧ୍ୟାନ ହଟାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି । ନବୀନଙ୍କ ବିଦେଶ ଗସ୍ତ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ ବିଜେଡି କହିଛି, ବିଜୁ ପଟ୍ଟନାୟକଙ୍କ ପୁଅ ନବୀନ ପଟ୍ଟନାୟକ ବିଶ୍ୱର ବିଭିନ୍ନ ଦେଶ ଭ୍ରମଣ କରିଛନ୍ତି । କିନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦୀର୍ଘ ୨୪ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ମାତ୍ର ଦୁଇଥର ସରକାରୀ ବିଦେଶ ଗସ୍ତ କରିଥିଲେ ।

୨୦୨୨ରେ ନବୀନଙ୍କ ଇଟାଲୀ ଗସ୍ତର ଉଦ୍ଦେଶ୍ୟ ଥିଲା ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ବା ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ୍ ସହ ଆଲୋଚନା । ଗରିବୀ ହ୍ରାସ, ଖାଦ୍ୟ ସୁରକ୍ଷା ଓ ଜନକଲ୍ୟାଣ କ୍ଷେତ୍ରରେ ଓଡ଼ିଶାର ସଫଳତାକୁ ଅନ୍ତର୍ଜାତୀୟ ସ୍ତରରେ ଉପସ୍ଥାପନ କରିବା ଏହି ଗସ୍ତର ଲକ୍ଷ୍ୟ ଥିଲା ବୋଲି ଦଳ କହିଛି । ସେହିପରି ୨୦୨୩ରେ ଜାପାନ ଗସ୍ତର ଉଦ୍ଦେଶ୍ୟ ଥିଲା ଓଡ଼ିଶାକୁ ପୁଞ୍ଜିନିବେଶ ଆକର୍ଷିତ କରିବା । ଏହି ଗସ୍ତ ସମୟରେ ଜାପାନର ପ୍ରମୁଖ ଶିଳ୍ପସଂସ୍ଥାଗୁଡ଼ିକ ସହ ଆଲୋଚନା ହୋଇଥିଲା । ନବୀନଙ୍କ ଜାପାନ ଗସ୍ତ ଫଳରେ ଓଡ଼ିଶାରେ ଆର୍ସେଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ପ୍ରକଳ୍ପର ଶୁଭାରମ୍ଭ ସମ୍ଭବ ହୋଇଥିଲା ବୋଲି ବିଜେଡି ଦାବି କରିଛି । ଏଥିସହ ତଦନ୍ତ ପ୍ରକ୍ରିୟା ସମସ୍ତଙ୍କ ପାଇଁ ସମାନ ହେବା ଉଚିତ ବୋଲି ଦଳ ମତ ରଖିଛି ।

କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀ ନୁହେଁ, ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ବରିଷ୍ଠ ଅଧିକାରୀଙ୍କ ବିଦେଶ ଗସ୍ତ ଖର୍ଚ୍ଚର ମଧ୍ୟ ଯାଞ୍ଚ କରାଯିବା ଆବଶ୍ୟକ ବୋଲି ବିଜେଡି କହିଛି । ଏପଟେ ନବୀନଙ୍କ ବିଦେଶ ଗସ୍ତ ଖର୍ଚ୍ଚ ସମ୍ପର୍କରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତରେ କେଉଁ ଖର୍ଚ୍ଚର ଯାଞ୍ଚ ହେବ ଏବଂ କୌଣସି ଅନିୟମିତତା ହୋଇଛି କି ନାହିଁ, ତାହା ତଦନ୍ତ ଶେଷରେ ହିଁ ସ୍ପଷ୍ଟ ହେବ । ଏହାରି ମଧ୍ୟରେ ତଦନ୍ତକୁ ସ୍ୱାଗତ କରିବା ସହ ସମସ୍ତଙ୍କ ପାଇଁ ସମାନ ନୀତି ଲାଗୁ କରିବାକୁ ବିଜେଡି ଦାବି କରିଛି ।

Share