କେନ୍ଦ୍ରାପଡ଼ା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ପୁଣି ଖୋଲିଲା ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ । ବାତ୍ୟା ଅକଭାନ୍ ଯୋଗୁଁ ଗତ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଥିବା ଏହି ପର୍ଯ୍ୟଟନସ୍ଥଳୀକୁ ବାତ୍ୟା ବିପଦ ଟଳିବା ପରେ ପୁଣିଥରେ ଖୋଲାଯାଇଛି । ଫଳରେ ପର୍ଯ୍ୟଟକଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ବାତ୍ୟା ଅକଭାନ୍କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଭିତରକନିକାରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା । ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ନୌଯାତ୍ରା ଓ ଜଙ୍ଗଲ ପରିଭ୍ରମଣକୁ ମଧ୍ୟ ବନ୍ଦ ରଖାଯାଇଥିଲା । ଏପରିକି ନାଇଟ୍ ଷ୍ଟେ ପାଇଁ ହୋଇଥିବା ସମସ୍ତ ଅନଲାଇନ୍ ବୁକିଂକୁ ବାତିଲ୍ କରିଦିଆଯାଇଥିଲା ।
ବାତ୍ୟାର ସମ୍ଭାବ୍ୟ ପ୍ରଭାବ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଆଖିଆଗରେ ରଖି ପ୍ରଶାସନ ଏହି ପଦକ୍ଷେପ ନେଇଥିଲା । ତେବେ ବାତ୍ୟା ବିପଦ ଟଳିବା ପରେ ପରିସ୍ଥିତି ସ୍ୱାଭାବିକ ହେବାରୁ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଉଦ୍ୟାନର ଦ୍ୱାର ଖୋଲାଯାଇଛି ।ଭିତରକନିକା ଖୋଲିବା ପରେ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକମାନେ ପୁଣିଥରେ ଏହାର ସୁନ୍ଦର ପ୍ରାକୃତିକ ପରିବେଶ, ନଦୀନାଳ ଓ ବନ୍ୟଜନ୍ତୁଙ୍କୁ ଉପଭୋଗ କରିବାର ସୁଯୋଗ ପାଇବେ ।
