ହୁତି ସାମରିକ ପ୍ରବକ୍ତା ୟାହ୍ୟା ସାରି କହିଛନ୍ତି ଯେ, ବିମାନବନ୍ଦରଗୁଡ଼ିକର ସାମରିକ ଓ ଯାତାୟାତ ସେବାକୁ ଠପ୍ କରିବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା* । ଏହି ଆକ୍ରମଣ ପରେ ରିୟାଦ ଓ ଆଖପାଖ ଅଞ୍ଚଳରେ ବିମାନ ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ଅନ୍ୟପଟେ, ସାଉଦି ନେତୃତ୍ବାଧୀନ ସେନା ମେଣ୍ଟ ପକ୍ଷରୁ କୁହାଯାଇଛି ଯେ, ରିୟାଦ ଆଡ଼କୁ ଆସୁଥିବା ଏକ ବାଲିଷ୍ଟିକ ମିସାଇଲକୁ ଆକାଶମାର୍ଗରେ ନଷ୍ଟ କରାଯାଇଛି ଏବଂ ୟେମେନର ସାନାରେ ଥିବା ହୁତିଙ୍କ ମିସାଇଲ ଲଞ୍ଚପ୍ୟାଡକୁ ଧ୍ବଂସ କରିଦିଆଯାଇଛି। ସାଉଦି କର୍ତ୍ତୃପକ୍ଷ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ସହ ବିମାନବନ୍ଦରର କ୍ଷତିଗ୍ରସ୍ତ ଅଂଶର ସମୀକ୍ଷା କରୁଛନ୍ତି।
ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଏହି ଉତ୍ତେଜନାକୁ ନେଇ ଆନ୍ତର୍ଜାତୀୟ ସମୁଦାୟ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଜାତିସଂଘ ପକ୍ଷରୁ ବେସାମରିକ ପ୍ରତିଷ୍ଠାନ ଏବଂ ସାଧାରଣ ନାଗରିକଙ୍କୁ ଲକ୍ଷ୍ୟ କରି ହେଉଥିବା ଏହିପରି ହିଂସାତ୍ମକ ଆକ୍ରମଣକୁ ଦୃଢ଼ ନିନ୍ଦା କରାଯାଇଛି। ଏହାସହ ଆଞ୍ଚଳିକ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ପାଇଁ ସମସ୍ତ ପକ୍ଷଙ୍କୁ ସଂଯମତା ଅବଲମ୍ବନ କରିବାକୁ ନିବେଦନ କରାଯାଇଛି। ସାଉଦି ସରକାର ନିଜ ସୀମା ଓ ନାଗରିକଙ୍କ ସୁରକ୍ଷା ପାଇଁ କଠୋର ପଦକ୍ଷେପ ନେବେ ବୋଲି ସ୍ପଷ୍ଟ କରିଛନ୍ତି।
