ଦାଣ୍ଡିଆ କାର୍ଯ୍ୟକ୍ରମ ବେଳେ ଭୁଶୁଡିଲା ତୋରଣ: ଜଣେ ମୃତ, ୧୪ ଆହତ

Dead 2025 07 05 21 11

ତେଲଙ୍ଗାନା: ହାଇଦ୍ରାବାଦ ସ୍ଥିତ ନାଦେରଗୁଲର ଏକ ଇଞ୍ଜିନିୟରିଂ କଲେଜରେ ଦାଣ୍ଡିଆ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଅଘଟଣ । ଏକ ତୋରଣ ଭୁଶୁଡ଼ି ପଡ଼ିବାରୁ ଜଣେ ପ୍ରଥମ ବର୍ଷର ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି । ପୋଲିସର ସୂଚନା ଅନୁସାରେ, ପ୍ରବଳ ପବନ ଯୋଗୁଁ ତୋରଣଟି ଭାଙ୍ଗି ପଡ଼ିଥିଲା । ଫଳରେ ଇଞ୍ଜିନିୟରିଂ ଛାତ୍ରୀ ସୋନା ନାରାୟଣ ଦାସ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ମୃତ ଛାତ୍ରୀଙ୍କ ଭଉଣୀ ମୀନା ନାରାୟଣ ଦାସ ମଧ୍ୟ ଆହତ ହୋଇଛନ୍ତି ।

ପ୍ରାରମ୍ଭିକ ରିପୋର୍ଟରେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଇଥିଲେ ମଧ୍ୟ ପରେ ପୋଲିସ ସ୍ପଷ୍ଟ କରିଛି ଯେ, ସମସ୍ତ ୧୪ ଜଣ ଆହତ ବିପଦମୁକ୍ତ ରହିଛନ୍ତି । ଘଟଣା ପରେ କଲେଜ ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଛାତ୍ରୀଙ୍କ ମୃତ୍ୟୁରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଆହତମାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇଦେବା ସହ ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

MVSR କଲେଜର ନିର୍ଦ୍ଦେଶକ ପ୍ରସନ୍ନ କୁମାର କହିଛନ୍ତି, କଲେଜ ପକ୍ଷରୁ ‘ସଙ୍ଗମମ୍‌’ ନାମରେ ଏକ ବାର୍ଷିକ ସାଂସ୍କୃତିକ ଉତ୍ସବ ଆୟୋଜନ କରାଯାଇଥିଲା । ଶୁକ୍ରବାର ବୈଷୟିକ କାର୍ଯ୍ୟକ୍ରମ ଥିବାବେଳେ ଶନିବାର ସାଂସ୍କୃତିକ କାର୍ଯ୍ୟକ୍ରମ ରଖାଯାଇଥିଲା । ଛାତ୍ରଛାତ୍ରୀଙ୍କ ଆଗ୍ରହ ଓ ଅନୁରୋଧ କ୍ରମେ ଉତ୍ସବର ଶେଷ ଭାଗରେ ଦାଣ୍ଡିଆ କାର୍ଯ୍ୟକ୍ରମ ରଖାଯାଇଥିଲା ତେବେ କାର୍ଯ୍ୟକ୍ରମ ଶେଷ ହେବାର ପ୍ରାୟ ୧୦ ମିନିଟ୍ ପୂର୍ବରୁ ହଠାତ୍ ପ୍ରବଳ ଝଡ଼ପବନ ହୋଇଥିଲା । ଫଳରେ ଆଲୋକ ସଜ୍ଜା ଲାଗିଥିବା ଷ୍ଟାଣ୍ଡଟି ଭାର ସମ୍ଭାଳି ନପାରି ଛାତ୍ରୀମାନେ ନୃତ୍ୟ କରୁଥିବା ସ୍ଥାନରେ ଖସି ପଡ଼ିଥିଲା । କଲେଜ ପରିଚାଳନା କମିଟି ଆହତଙ୍କ ଚିକିତ୍ସା ଓ ପରିବାରବର୍ଗଙ୍କୁ ସହଯୋଗ କରିବା ସହ ପରିସ୍ଥିତି ଉପରେ ନଜର ରଖିଛି ବୋଲି ସେ କହିଛନ୍ତି ।

Share