ନୂଆଦିଲ୍ଲୀ : ଫ୍ରାନ୍ସରେ ମୁଦ୍ରାସ୍ଫୀତି ବୃଦ୍ଧି ଏବଂ ଶିକ୍ଷା ବ୍ୟବସ୍ଥାରେ ଅବ୍ୟବସ୍ଥାକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ବିକ୍ଷୋଭ ଏବେ ବିସ୍ଫୋରକ ରୂପ ନେଇଛି । ରାଜଧାନୀ ପ୍ୟାରିସ୍ ସମେତ ସାରା ଦେଶର ପ୍ରମୁଖ ସହରଗୁଡ଼ିକରେ ବ୍ୟାପକ ହିଂସାକାଣ୍ଡ, ପୋଡ଼ାଜଳା ଏବଂ ଲୁଟପାଟ୍ ଦେଖିବାକୁ ମିଳିଛି । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ବର୍ତ୍ତମାନ ସୁଦ୍ଧା ୧,୨୦୦ରୁ ଅଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି । ହିଂସାତ୍ମକ ଆକ୍ରମଣରେ ୬୦ରୁ ଅଧିକ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଦେଶବ୍ୟାପୀ ପ୍ରାୟ ୫.୫ ଲକ୍ଷ ଲୋକ ଏକାଠି ହୋଇ ସରକାର ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା ।
ବିକ୍ଷୋଭକାରୀମାନେ ପୋଲିସ ଉପରକୁ ପଥର ଓ ବାଣ ଫିଙ୍ଗିବା ସହ ବହୁ ସ୍ଥାନରେ ଗାଡି ଏବଂ ସରକାରୀ ପ୍ରତିଷ୍ଠାନରେ ନିଆଁ ଲଗାଇ ଦେଇଥିଲେ । ଲିମୋଜ୍ ସହରରେ ଥିବା ପ୍ରାୟ ୧୪୦ ବର୍ଷ ପୁରୁଣା ଐତିହାସିକ ଟାଉନ୍ ହଲରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ, ଯାହା ଫଳରେ ଏହାର ଛାତର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଛି । ପ୍ୟାରିସ୍ ଏବଂ ଅନ୍ୟାନ୍ୟ ସହରରେ ଶତାଧିକ ଦୋକାନର କାଚ ଭାଙ୍ଗି ମୂଲ୍ୟବାନ ସାମଗ୍ରୀ ଲୁଟି ନିଆଯାଇଛି । ଭିଡ଼କୁ ନିୟମନ୍ତ୍ରଣ କରିବାକୁ ସୁରକ୍ଷାକର୍ମୀମାନେ ଲୁହବୁହା ଗ୍ୟାସ୍ ଏବଂ ପାଣିମାଡ଼ କରିଥିଲେ । ସଂଘର୍ଷରେ ୬୦ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି, ଯେଉଁଥିରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଦେଶରେ ଲଗାତାର ବଢୁଥିବା ମୁଦ୍ରାସ୍ଫୀତି, ଖାଦ୍ୟପେୟ ଓ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରଦାମ ଯୋଗୁଁ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ସରକାରୀ ବିଦ୍ୟାଳୟଗୁଡ଼ିକରେ ଭିତ୍ତିଭୂମିର ଅଭାବ, ଶିକ୍ଷକ ସଙ୍କଟ ବିରୋଧରେ ଛାତ୍ର ଓ ଶିକ୍ଷକ ସଂଘ ଦୀର୍ଘ ଦିନରୁ ରାସ୍ତାକୁ ଓହ୍ଲାଇଛନ୍ତି । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଉପରେ ପୋଲିସର ଅତ୍ୟଧିକ ବଳପ୍ରୟୋଗ ଏବଂ କଠୋର ଆଭିମୁଖ୍ୟ ପ୍ରତିବାଦକାରୀଙ୍କ ଆକ୍ରୋଶକୁ ଆହୁରି ବଢ଼ାଇ ଦେଇଛି । ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସାଧାରଣ ଜନତାଙ୍କ ଅଭିଯୋଗ ଓ ଆର୍ଥିକ ସଙ୍କଟର ସମାଧାନ କରିବାରେ ପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ରାସ୍ତା ଅବରୋଧ, ଯାନବାହନ ଚଳାଚଳ ବନ୍ଦ ଏବଂ ମେଟ୍ରୋ ସେବା ବାଧାପ୍ରାପ୍ତ ହେବା ଯୋଗୁଁ ସାଧାରଣ ନାଗରିକ ଭୟଙ୍କର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ସରକାରୀ କାର୍ଯ୍ୟାଳୟ, ସାଧାରଣ ସମ୍ପତ୍ତି ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ହୋଇଥିବା ପୋଡ଼ାଜଳା ଓ ଲୁଟପାଟ୍ ଯୋଗୁଁ କୋଟି କୋଟି ୟୁରୋର ଆର୍ଥିକ କ୍ଷତି ଘଟିଛି । ରାଜଧାନୀ ସମେତ ଅନେକ ସହରରେ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯାଇଛି ଏବଂ ସମ୍ବେଦନଶୀଳ ଅଞ୍ଚଳରେ କଡ଼ା କଟକଣା ଜାରି ହୋଇଛି । ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଏହି ହିଂସାତ୍ମକ କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କରିବା ସହ ସରକାରୀ ପ୍ରତିଷ୍ଠାନ ଉପରେ ଆକ୍ରମଣ କରୁଥିବା ଉପଦ୍ରବୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ।
