ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୁବ ନେତୃତ୍ୱ ସମାବେଶ, ନିର୍ବାଚିତ ପ୍ରାର୍ଥୀଙ୍କୁ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

Cm3

କଟକ : କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ଆଜି  ରାଜ୍ୟସ୍ତରୀୟ ଯୁବ ନେତୃତ୍ୱ ସମାବେଶ ଅନୁଷ୍ଠିତ ହୋଇଯାଇଛି ।  ଏହି ସମାବେଶରେ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଏ. ବି . ଭି . ପି. ଛାତ୍ର ଛାତ୍ରୀ ଓ  ନିର୍ବାଚିତ ପାର୍ଥିମାନେ ଯୋଗ ଦେଇଥିଲେ ।  ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥମେ ସମସ୍ତଙ୍କୁ ଶାରଦୀୟ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଥିଲେ।

ରାଜ୍ୟର ପ୍ରମୁଖ ସହରମାନଙ୍କରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ହଷ୍ଟେଲ ସୁବିଧାର ଅଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ସୁବିଧା ସୁଯୋଗ ସହ ନୂଆ ହଷ୍ଟେଲ ନିର୍ମାଣ କରାଯିବ  ।  ଏହା ସହ ମେଧାବୀ ଯୁବପିଢ଼ିଙ୍କୁ ପ୍ରଶାସନିକ ସେବା କ୍ଷେତ୍ରରେ ଆଗକୁ ନେବା ପାଇଁ ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଓ ମାର୍ଗଦର୍ଶନର ବ୍ୟବସ୍ଥା କରାଯିବ ବୋଲି ଆୟୋଜିତ ‘ଯୁବ ନେତୃତ୍ୱ ସମାବେଶ’ରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଏହା କହିଛନ୍ତି  ।  ମୁଖ୍ୟମନ୍ତ୍ରୀ ଛାତ୍ର ରାଜନୀତି ଓ ଛାତ୍ର ନେତୃତ୍ୱର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଛାତ୍ରଜୀବନରୁ ହିଁ ନେତୃତ୍ୱ ନେବାର ଦକ୍ଷତା, ଶୃଙ୍ଖଳା ଏବଂ ସାମାଜିକ ଦାୟିତ୍ୱବୋଧ ବିକଶିତ କରିବାକୁ ପରାମର୍ଶ ଦେଇଥିଲେ।

ଯୁବସମାଜ କେବଳ ଆଗାମୀ ଦିନର ନେତୃତ୍ୱ ନୁହଁନ୍ତି, ବରଂ ବର୍ତ୍ତମାନର ବିକାଶ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ସେମାନଙ୍କ ଦକ୍ଷତା, ସକାରାତ୍ମକ ଚିନ୍ତାଧାରା ଓ ଆତ୍ମନିର୍ଭରଶୀଳତା ମାଧ୍ୟମରେ ଏକ ସକ୍ଷମ ଓ ସମୃଦ୍ଧ ଓଡ଼ିଶା ଗଠନ କରିବା ଏହି ସମାବେଶର ମୁଖ୍ୟ ଲକ୍ଷ୍ୟ ଅଟେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।  ଏହି ସମାବେଶରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ କଲେଜ ଛାତ୍ରଛାତ୍ରୀ ଯୋଗଦେଇଥିବା ବେଳେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Share