ଚଣ୍ଡିଗଡ଼: ପଂଜାବର ସଂଗରୁର ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଦ୍ରୁତଗାମୀ କାର ନିୟନ୍ତ୍ରଣ ହରାଇଛି। ଫଳରେ କାରଟି ମନେରେଗା ଶ୍ରମିକଙ୍କ ଉପରେ ଚଢ଼ି ଯାଇଛି। ଦୁର୍ଘଟଣା କାରଣରୁ ୯ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ କିଛି ଲୋକ ଆହତ ଅଛନ୍ତି। କୁହାଯାଉଛି ଯେ, ଯେତେବେଳେ କାରଟି ଅନିୟନ୍ତ୍ରିତ ହୋଇ ଯାଉଥିଲା, ସେହି ସମୟରେ ପାଖାପାଖି ୨୩ ଜଣ ଶ୍ରମିକ ଲହରାଗାଗା-ଜାଖଲ ରୋଡରେ କାମ କରୁଥିଲେ। ଦୁର୍ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆହତ ଶ୍ରମିକମାନଙ୍କର ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକେ ଦୁର୍ଘଟଣା ପରେ ପୁଲିସ ସହାୟତା ଏବଂ ଆମ୍ବଲାନ୍ସ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି।

ପୁଲିସ କହିଛି ଯେ, ରବିବାର ଦିନ ପଂଜାବର ସଂଗରୁର ଜିଲ୍ଲାରେ ଲହରାଗାଗ-ଜାଖଲ ରୋଡ ଉପରେ ଏକ କାର ନିୟନ୍ତ୍ରଣ ହରାଇଥିଲା। ଏହି ଦୁର୍ଘଟଣାର ଶିକାର ହୋଇଥିବା ମନରେଗା ଶ୍ରମିକମାନେ ଘଟଣା ସମୟରେ ସଡ଼କପାର୍ଶ୍ବରେ ବସିଥିଲେ। କିଛି ଲୋକ କାମ ଜାରି ରଖିଥିଲେ। ସେହି ସମୟରେ କାରଟି ମାଡ଼ି ଆସିଥିଲା। ଲହରାଗାଗ ପୁଲିସ ଷ୍ଟେସନର ଏସଏଚଓ ଇନ୍ସପେକ୍ଟର ଜସକରଣ ସିଂହ କହିଛନ୍ତି, ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ପଂଜାବ କ୍ୟାବିନେଟ୍‌ ମନ୍ତ୍ରୀ ବରିନ୍ଦର କୁମାର ଗୋୟଲ ଏହି ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି।

ମୃତକମାନେ ହେଲେ…
ମିଡିଆ ରିପୋର୍ଟ ଅନୁସାରେ ଦୁର୍ଘଟଣାରେ ସଂପୃକ୍ତ କାର ଶେବରଲେ ମ୍ୟଗ୍ନମ ଥିଲା, ଯାହାର ପଂଜୀକୃତ ନମ୍ବର PB11 CP 0080। କାର ଚାଳକ ଥିଲେ ରେଧରାନାର ପରଗଟ ସିଂହ ଭାବେ ଜଣାପଡ଼ିଛି। ମୃତକମାନଙ୍କ ମଧ୍ୟରେ କର୍ମଜୀତ କୌର, ଜୀବନ ସିଂହ, ନିକ୍କୀ, ସରବଜୀତ କୌର, ରଜିତ କୌର, କର୍ମଜୀତ, ରାନୀ କୌର ଏବଂ ଦେଶ ରାଜ ସାମିଲ ଥିଲେ।