କଟକ (ବିକ୍ରମ କିଶୋର ସେନାପତିଙ୍କ ରିପୋର୍ଟ) : କଟକ ସିଡିଏ ଅଞ୍ଚଳରୁ ଲଗାତାର ଭାବେ ୱାଟକୋ (WATCO) ପାଣି ମିଟର ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ମର୍କତନଗର ଥାନା ପୋଲିସ। ଏହି ଘଟଣାରେ ପୋଲିସ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ଦୁଇଜଣ ନାବାଳକଙ୍କୁ (ବିଧି ସହ ବିବାଦରେ ଥିବା କିଶୋର) ଧରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ୧୬ଟି ଚୋରି ପାଣି ମିଟର ଜବତ କରାଯାଇଛି।
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗତ ୧୮.୧୧.୨୦୨୬ ତାରିଖରେ ମର୍କତନଗର ପୋଲିସ ମୁଢ଼ି ମିଲ୍ ଗଳି ନିକଟରେ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତ ଜି. ନବୀନ (୨୨)କୁ କାବୁ କରିଥିଲା। ପଚରାଉଚରା ବେଳେ ସେ ସିଡିଏର ବିଭିନ୍ନ ଅଞ୍ଚଳରୁ ଦୁଇଜଣ ନାବାଳକ ସହଯୋଗୀଙ୍କ ସହାୟତାରେ ଏହି ପାଣି ମିଟରଗୁଡ଼ିକ ଚୋରି କରୁଥିବା ସ୍ୱୀକାର କରିଥିଲା।
ପୋଲିସର ତଦନ୍ତ ଓ ଚଢ଼ାଉ ସମୟରେ ମୁଖ୍ୟ ଅଭିଯୁକ୍ତର ଘର ନିକଟରୁ ଚୋରି ହୋଇଥିବା ୧୬ଟି ୱାଟକୋ ପାଣି ମିଟରକୁ ବିଧିବଦ୍ଧ ଭାବେ ଜବତ କରାଯାଇଛି।
ଗିରଫ ମୁଖ୍ୟ ଅଭିଯୁକ୍ତ ଜଣକ ହେଉଛନ୍ତି ମର୍କତନଗର ଥାନା ଅନ୍ତର୍ଗତ କାଠଯୋଡ଼ି ବିହାର, ବାଲିଘାଟ ଅଞ୍ଚଳର ସ୍ୱର୍ଗତ ଜି. ଶର୍ମାଙ୍କ ପୁଅ ଜି. ନବୀନ (୨୨)। ଏନେଇ ମର୍କତନଗର ଥାନାରେ କେସ୍ ନଂ- ୩୭୭/୨୦୨୬, ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୩୦୫(ଏ)/୩(୫) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।
ମୁଖ୍ୟ ଅଭିଯୁକ୍ତ ଜି. ନବୀନକୁ ଗିରଫ କରାଯାଇ ମାନ୍ୟବର କୋର୍ଟ ଚାଲାଣ କରାଯାଇଥିବା ବେଳେ, ଘଟଣାରେ ସମ୍ପୃକ୍ତ ଦୁଇ ନାବାଳକଙ୍କ ବିରୋଧରେ ଆଇନ ଅନୁଯାୟୀ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ଅଭିଯୁକ୍ତମାନେ ଅନ୍ୟ କୌଣସି ଚୋରି ଘଟଣାରେ ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଆଉ କିଛି ଚୋରି ସାମଗ୍ରୀ ଉଦ୍ଧାର କରିବା ପାଇଁ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
