କଟକ କଟକ (ବିକ୍ରମ କିଶୋର ସେନାପତିଙ୍କ ରିପୋର୍ଟ) : ସିସିଟିଭି ଫୁଟେଜ୍କୁ ଆଧାର କରି ଜଗତପୁର ଥାନା ପୋଲିସ ଦୁଇଜଣ ପେସାଦାର ସୁନା ଚେନ୍ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ଛିଣ୍ଡା ସୁନା ଚେନ୍, ଲୁଟ୍ରେ ବ୍ୟବହୃତ ବାଇକ୍ ଏବଂ ଦୁଇଟି ସ୍ମାର୍ଟ ମୋବାଇଲ୍ ଫୋନ୍ ଜବତ କରାଯାଇଛି।
ଜଗତପୁର ଥାନା ଅନ୍ତର୍ଗତ ଫକିରପୁର ପଣ୍ଡାସାହିର ନିବେଦିତା ସେନାପତି (୩୪) ଗତ ୧୩.୧୧.୨୦୨୬ ତାରିଖରେ ପରିବାର ସଦସ୍ୟଙ୍କ ସହ ବିରିବାଟି ତାରିଣୀ ମନ୍ଦିରକୁ ଯାଇଥିଲେ। ସେଠାରୁ ଏକ ଅଟୋ ଯୋଗେ ଘରକୁ ଫେରୁଥିବା ବେଳେ ଘର ନିକଟରେ ଦୁଇଜଣ ଅଜଣା ଦୁର୍ବୃତ୍ତ ପଛପଟୁ ଆସି ତାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇ ଫେରାର ହୋଇଯାଇଥିଲେ। ଏନେଇ ସେ ୧୪.୧୧.୨୦୨୬ ତାରିଖରେ ଜଗତପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେସ୍ ନଂ- ୭୮୦/୨୦୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତ ଓ ଗିରଫଦାରୀ: ମାମଲା ରୁଜୁ ହେବା ପରେ ଜଗତପୁର ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳର ସିସିଟିଭି ଫୁଟେଜ୍ ଯାଞ୍ଚ କରି ଲୁଟେରାମାନେ ବ୍ୟବହାର କରିଥିବା ବାଇକ୍ର ନମ୍ବର (OR-05-AV-0813) ଚିହ୍ନଟ କରିଥିଲା। ବାଇକ୍ ମାଲିକଙ୍କ ଠିକଣା ଯାଞ୍ଚ କରି ପୋଲିସ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲା।
ଜେରା ବେଳେ ଅଭିଯୁକ୍ତମାନେ ଏହି ଘଟଣା ସମେତ ଜଗତପୁର ଥାନା ଅଞ୍ଚଳରେ ଘଟିଥିବା ଆଉ ଏକ ଚେନ୍ ଲୁଟ୍ ମାମଲାରେ ନିଜର ସମ୍ପୃକ୍ତି ସ୍ୱୀକାର କରିଥିଲେ। ସେମାନଙ୍କ ସୂଚନା ଆଧାରରେ ପୋଲିସ ଲୁଟ୍ ହୋଇଥିବା ସାମଗ୍ରୀ ଉଦ୍ଧାର କରିଥିଲା।
ଗିରଫ ଅଭିଯୁକ୍ତଙ୍କ ପରିଚୟ ଓ ଜବତ ସାମଗ୍ରୀ:
-
ଗିରଫ ଅଭିଯୁକ୍ତ: ଜଗତପୁର ଥାନା ଇମାମ୍ନଗର ଅଞ୍ଚଳର ବ୍ରହ୍ମାନନ୍ଦ ପ୍ରଧାନଙ୍କ ପୁଅ ଯନ୍ତ୍ରୀ ଓରଫ କାହ୍ନୁ ପ୍ରଧାନ (୩୨) ଏବଂ ମହାଜନପୁର ସାମଲସାହିର ସୁରେନ୍ଦ୍ର ସାମଲଙ୍କ ପୁଅ ବାପି ଓରଫ ଅଜିତ ସାମଲ (୩୧)।
-
ପୂର୍ବ ଅପରାଧିକ ରେକର୍ଡ: ଗିରଫ କାହ୍ନୁ ପ୍ରଧାନଙ୍କ ନାମରେ କଟକ ସହର ଓ ଗ୍ରାମାଞ୍ଚଳର ବିଭିନ୍ନ ଥାନାରେ ପ୍ରାୟ ୧୯ଟି ଲୁଟ୍ ଓ ଚୋରି ମାମଲା ରହିଥିବା ବେଳେ ଅଜିତ ସାମଲଙ୍କ ନାମରେ ୬ଟି ମାମଲା ରହିଛି।
-
ଜବତ ସାମଗ୍ରୀ: ଗୋଟିଏ ହିରୋ ହୋଣ୍ଡା ପ୍ୟାସନ୍ ପ୍ରୋ ବାଇକ୍ (OR-05-AV-0813), ୧୦.୬ ଗ୍ରାମ୍ ଓ ୭.୮୯ ଗ୍ରାମ୍ ଓଜନର ଦୁଇଟି ଛିଣ୍ଡା ସୁନା ଚେନ୍, ଗୋଟିଏ ଓପୋ (OPPO) ଏବଂ ଗୋଟିଏ ରେଡ୍ମି (Redmi) ସ୍ମାର୍ଟଫୋନ୍।
ଉଭୟ ଅଭିଯୁକ୍ତଙ୍କୁ ଗତ ୧୮.୧୧.୨୦୨୬ ତାରିଖରେ ଗିରଫ କରାଯାଇ ମାନ୍ୟବର କୋର୍ଟ ଚାଲାଣ କରାଯାଇଛି। ନାଗରିକଙ୍କ ଧନଜୀବନର ସୁରକ୍ଷା ପାଇଁ କଟକ କମିଶନରେଟ୍ ପୋଲିସ ସର୍ବଦା ପ୍ରତିଶ୍ରୁତିବଦ୍ଧ ଥିବା ବେଳେ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ନିକଟସ୍ଥ ଥାନାକୁ ଜଣାଇବାକୁ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।
