କଟକ(ବିକ୍ରମ କିଶୋର ସେନାପତିଙ୍କ ରିପୋର୍ଟ) : ଜଗତପୁର ଥାନା ଅନ୍ତର୍ଗତ ନାନକରସ୍ଥିତ ବିଜେପି କାର୍ଯ୍ୟାଳୟ ଏବଂ ନିକଟସ୍ଥ ତିନୋଟି ଦୋକାନରୁ ହୋଇଥିବା ସିରିଜ୍ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ଜଗତପୁର ଥାନା ପୋଲିସ। ଏହି ଘଟଣାରେ ପୋଲିସ ଜଣେ କୁଖ୍ୟାତ ଅପରାଧୀକୁ ଗିରଫ କରିବା ସହ ଚୋରି ହୋଇଥିବା ରୁପା ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ଜବତ କରିବାରେ ସଫଳ ହୋଇଛି। ଗତ ୦୮.୧୧.୨୦୨୬ ରାତି ୧୦ଟା ୩୦ରୁ ୦୯.୧୧.୨୦୨୬ ସକାଳ ୬ଟା ମଧ୍ୟରେ କିଛି ଅଜଣା ଦୁର୍ବୃତ୍ତ ନାନକରସ୍ଥିତ ବିଜେପି କାର୍ଯ୍ୟାଳୟର ତାଲା ଭାଙ୍ଗି ପ୍ରାୟ ୨୦ ହଜାର ଟଙ୍କା ମୂଲ୍ୟର ରୁପା ହାତୀ ଓ ରୁପା ମୁଦ୍ରା ଚୋରି କରିନେଇଥିଲେ। ଏହାସହ ଦୁର୍ବୃତ୍ତମାନେ କାର୍ଯ୍ୟାଳୟ ନିକଟରେ ଥିବା ଅନିରୁଦ୍ଧ ରାଉତଙ୍କ ତିନୋଟି ଦୋକାନରୁ ମଧ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି କରିଥିଲେ। ଏନେଇ ୦୯.୧୧.୨୦୨୬ରେ ଜଗତପୁର ଥାନାରେ କେସ୍ ନଂ- ୭୬୦/୨୦୨୬ ରୁଜୁ ହେବା ପରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା।
ଜିଲ୍ଲା ଫୋରେନସିକ୍ ଟିମ୍ ସହାୟତାରେ ଘଟଣାସ୍ଥଳରୁ ବୈଜ୍ଞାନିକ ପ୍ରମାଣ ସଂଗ୍ରହ କରାଯିବା ସହ ବିଭିନ୍ନ ପ୍ରବେଶ ଓ ପ୍ରସ୍ଥାନ ପଥର ପ୍ରାୟ ୨୦ଟି ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା। ସିସିଟିଭି ଫୁଟେଜ୍ ଏବଂ ପୂର୍ବ ଅପରାଧୀଙ୍କ ତାଲିକାକୁ ତର୍ଜମା କରି ପୋଲିସ ମର୍କତନଗର ଥାନା ସତୀଚଉରା ଇମାମପଡ଼ା ଅଞ୍ଚଳର ସ୍ୱର୍ଗତ ଏସ୍.କେ ସଲିମ୍ଙ୍କ ପୁଅ ଏସ୍.କେ ପିରୁ ଓରଫ ଏସ୍.କେ ତାହିର (୪୦)କୁ କାବୁ କରିଥିଲା। ଜେରା ବେଳେ ସେ ଚୋରି ଘଟଣାରେ ନିଜର ସମ୍ପୃକ୍ତି ସ୍ୱୀକାର କରିବା ସହ ଚୋରି ସାମଗ୍ରୀ ଠାବ କରାଇଥିଲା। ପୋଲିସ ତା ନିକଟରୁ ୬୪ ଗ୍ରାମ୍ ଓଜନର ଦୁଇଟି ରୁପା ହାତୀ, ୯.୫ ଗ୍ରାମ୍ ଓଜନର ଗୋଟିଏ ରୁପା ମୁଦ୍ରା, ନଗଦ ୧୦୦୦ ଟଙ୍କା, ୯ଟି ସିଗାରେଟ୍ ପ୍ୟାକେଟ୍ ଏବଂ ୧୨ ପାଉଚ୍ ବିଶିଷ୍ଟ ଗୋଟିଏ ସଫଲ୍ ଗୁଟୁଖା ମାଳ ଜବତ କରିଛି। ଗିରଫ ଏସ୍.କେ ପିରୁ ନାମରେ କଟକ ସହରାଞ୍ଚଳର ମର୍କତନଗର, ଜଗତପୁର, ଲାଲବାଗ, ମଧୁପାଟଣା ଓ ବାରଙ୍ଗ ଆଦି ବିଭିନ୍ନ ଥାନାରେ ପୂର୍ବରୁ ୧୧ଟି ଚୋରି ଓ ଅପରାଧିକ ମାମଲା ରହିଛି। ଅଭିଯୁକ୍ତକୁ ଗତ ୧୭.୧୧.୨୦୨୬ ତାରିଖରେ ଗିରଫ କରାଯାଇ ମାନ୍ୟବର କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ କନ୍ଦରପୁର ଥାନା ମହୁରା ପରମହଂସ ଅଞ୍ଚଳର ଏସ୍.କେ ଅଜିମ୍ ଓରଫ ପତି (୫୫)କୁ ଧରିବା ପାଇଁ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି।
