ବାଲିଯାତ୍ରା ପଡ଼ିଆରେ ଏକ୍ସପାୟାରୀ ଥଣ୍ଡା ପାନୀୟ ବିକ୍ରି ଘଟଣାର ପର୍ଦ୍ଦାଫାଶ: ୩ ଗିରଫ, ୧୦୯୫ ବୋତଲ ଥଣ୍ଡା ପାନୀୟ ସହ ପିକ୍ଅପ୍ ଭ୍ୟାନ୍ ଜବତ

099b8094 fd8c 43ed 921c 3a59252266e6

କଟକ(ବିକ୍ରମ କିଶୋର ସେନାପତିଙ୍କ ରିପୋର୍ଟ)  : ଐତିହାସିକ କଟକ ବାଲିଯାତ୍ରା ପଡ଼ିଆରେ ଜନସାଧାରଣଙ୍କୁ ଅବଧି ଶେଷ ହୋଇଯାଇଥିବା (ଏକ୍ସପାୟାରୀ) ଥଣ୍ଡା ପାନୀୟ ବିକ୍ରି କରିବା ଅଭିଯୋଗରେ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଜଣେ ସଚେତନ ଗ୍ରାହକଙ୍କ ସୂଚନା ଓ ତ୍ୱରିତ ପୋଲିସ ଯାଞ୍ଚ ଆଧାରରେ ଗତ ୧୭.୧୧.୨୦୨୬ ଅପରାହ୍ନରେ କ୍ୟାଣ୍ଟନମେଣ୍ଟ ଥାନା ପୋଲିସର ଏକ ଟିମ୍ ବାଲିଯାତ୍ରା ପଡ଼ିଆରେ ଚଢ଼ାଉ କରି ଏହି ବେଆଇନ କାରବାରକୁ ରୋକିବାରେ ସଫଳ ହୋଇଛି।

ଯାଞ୍ଚ ବେଳେ ଅଭିଯୁକ୍ତମାନେ ସାଧାରଣ ଲୋକଙ୍କୁ ତାଜା ଓ ପିଇବା ଉପଯୋଗୀ କହି ଅବଧି ଶେଷ ହୋଇଯାଇଥିବା ଥଣ୍ଡା ପାନୀୟ ବିକ୍ରି କରୁଥିବା ଜଣାପଡ଼ିଥିଲା। ପୋଲିସ ସେମାନଙ୍କ ଗାଡ଼ି (OD-05-AM ପିକ୍ଅପ୍) ଯାଞ୍ଚ କରି ସେଥିରୁ ବିଭିନ୍ନ ପରିମାଣର ପ୍ରାୟ ୧,୦୯୫ ବୋତଲ ଏକ୍ସପାୟାରୀ କାମ୍ପା କୋଲା (Campa Cola) ଥଣ୍ଡା ପାନୀୟ ଜବତ କରିଛି। କୌଣସି ବୈଧ ଫୁଡ୍ ଲାଇସେନ୍ସ କିମ୍ବା କ୍ରୟ ରସିଦ ନଥାଇ ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଅସୁରକ୍ଷିତ ପାନୀୟ ବିକ୍ରି କରାଯାଉଥିଲା। ପୋଲିସ ବିଧିବଦ୍ଧ ଭାବେ ଉକ୍ତ ଥଣ୍ଡା ପାନୀୟ ବୋତଲ, ପରିବହନରେ ବ୍ୟବହୃତ ପିକ୍ଅପ୍ ଗାଡ଼ି ଏବଂ ନଗଦ ୬୨୦ ଟଙ୍କା ଜବତ କରିବା ସହ ନମୁନା ସଂଗ୍ରହ କରି ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷଙ୍କ ଜରିଆରେ ପରୀକ୍ଷାଗାରକୁ ପଠାଇଛି।

ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ କଟକ ସଦର ଥାନା ଗୋପାଳପୁର ଅଞ୍ଚଳର ବିଜେନ୍ଦ୍ରନାଥ ସାହୁଙ୍କ ପୁଅ ଶରତ ସାହୁ (ମାର୍କେଟିଂ), ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଓଷକଣା ଅଞ୍ଚଳର ବିଷ୍ଣୁ ଚରଣ ପାତ୍ରଙ୍କ ପୁଅ ବୈକ୍ୟତ ପାତ୍ର (ସେଲ୍ସମ୍ୟାନ୍) ଏବଂ କଟକ ସଦର ଥାନା ଉମୁମା ଅଞ୍ଚଳର ବେଣୁଧର ପ୍ରଧାନଙ୍କ ପୁଅ ରଞ୍ଜିତ ପ୍ରଧାନ (ଡ୍ରାଇଭର)। ଏନେଇ କ୍ୟାଣ୍ଟନମେଣ୍ଟ ଥାନାରେ କେସ୍ ନଂ- ୪୧୭/୨୦୨୬, ଭାରତୀୟ ନ୍ୟାୟ ସଂହିତା (BNS) ଏବଂ ଖାଦ୍ୟ ସୁରକ୍ଷା ଓ ମାନକ ଆଇନ-୨୦୦୬ର ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ମାନ୍ୟବର କୋର୍ଟ ଚାଲାଣ କରାଯାଇଛି। ଜବତ ସାମଗ୍ରୀର ଉତ୍ସ ଓ ଯୋଗାଣ ଶୃଙ୍ଖଳ ସମ୍ପର୍କରେ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଖାଦ୍ୟ ଓ ପାନୀୟ କିଣିବା ପୂର୍ବରୁ ଏକ୍ସପାୟାରୀ ତାରିଖ ଯାଞ୍ଚ କରିବାକୁ କଟକ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

Share