ଜଳଭଣ୍ଡାର ପରିଚାଳନା, ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ

୧୧

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜଳଭଣ୍ଡାର ଓ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟସ୍ଥଳୀ ପରିଦର୍ଶନ ପରେ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ବ୍ରହ୍ମପୁରସ୍ଥିତ ଋଷିକୁଲ୍ୟା-ବଂଶଧାରା-ନାଗାବଳୀ ଅବବାହିକାର ମୁଖ୍ୟ ଯନ୍ତ୍ରୀ ତଥା ଅବବାହିକା ପରିଚାଳକଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ବାତ୍ୟା ଅକଭାନ୍‌ର ପ୍ରଭାବ, ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି, ଜଳଭଣ୍ଡାର ପରିଚାଳନା ଏବଂ ଜିଲ୍ଲାରେ ଜଳସେଚନ ଭିତ୍ତିଭୂମିକୁ ସୁଦୃଢ଼ କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।

ବାତ୍ୟା ଅକଭାନ୍ ସମୟରେ ବିଭାଗୀୟ ଯନ୍ତ୍ରୀ ଓ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ନିଷ୍ଠାପର ଉଦ୍ୟମ ଏବଂ ଜିଲ୍ଲା ପ୍ରଶାସନ ସହ ସେମାନଙ୍କର ଉତ୍ତମ ସମନ୍ୱୟକୁ ପ୍ରମୁଖ ଶାସନ ସଚିବ ପ୍ରଶଂସା କରିଥିଲେ। ଜରୁରୀ ପରିସ୍ଥିତିରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ, ପ୍ରସ୍ତୁତି ଓ ତ୍ୱରିତ ପ୍ରତିକ୍ରିୟା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ନେଇ ସେ ଆବଶ୍ୟକ ପରାମର୍ଶ ଦେଇଥିଲେ। ବୈଠକରେ ବାତ୍ୟାରେ କ୍ଷତିଗ୍ରସ୍ତ ଭିତ୍ତିଭୂମିର ପୁନରୁଦ୍ଧାରକୁ ପ୍ରାଥମିକତା ଦେବା, ଦୁର୍ବଳ ସ୍ଥାନଗୁଡ଼ିକୁ ସୁଦୃଢ଼ କରିବା ଏବଂ ଜଳସେଚନ ସୁବିଧାର ଉନ୍ନତି ଉପରେ ଗୁରୁତ୍ୱ ଦିଆଯାଇଥିଲା।

Share