ଲିବିୟା ଉପକୂଳରେ ଡ୍ରୋନ ଆକ୍ରମଣ, ରୁଷର ଯୁଦ୍ଧଜାହାଜ ବୁଡ଼ାଇଲା ୟୁକ୍ରେନ୍

୨୪

ନୂଆଦିଲ୍ଲୀ : ଲିବିୟା ଉପକୂଳରେ ରୁଷର ଯୁଦ୍ଧଜାହାଜ ବୁଡ଼ାଇଦେଲା ୟୁକ୍ରେନ୍ । ୭ଟି ନୌସେନା ଡ୍ରୋନରେ ଆକ୍ରମଣ, କା-୨୭ ସାମରିକ ହେଲିକପ୍ଟର ଧ୍ୱଂସ ଓ ଅସ୍ତ୍ର ପରିବହନକାରୀ ଜାହାଜକୁ ଟାର୍ଗେଟ୍ କରିଥିବା ଦାବି । ରୁଷ୍ -ୟୁକ୍ରେନ୍ ଯୁଦ୍ଧ ଭିତରେ ଆଉ ଏକ ବଡ଼ ସାମରିକ ଆକ୍ରମଣର ଦାବି ସାମ୍ନାକୁ ଆସିଛି । ଏଥର କୃଷ୍ଣସାଗର ନୁହେଁ, ବରଂ ଭୂମଧ୍ୟସାଗରର ଲିବିୟା ଉପକୂଳରେ ରୁଷର ଯୁଦ୍ଧଜାହାଜକୁ ଟାର୍ଗେଟ୍ କରିଛି ୟୁକ୍ରେନ୍ ।

ରୁଷର ମର୍କ୍ୟୁରି ନାମକ କର୍ଭେଟ୍ ଶ୍ରେଣୀର ଯୁଦ୍ଧଜାହାଜକୁ ୟୁକ୍ରେନୀୟ ନୌସେନା ଡ୍ରୋନ୍ ବୁଡ଼ାଇ ଦେଇଥିବା ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଦାବି କରିଛନ୍ତି । ଜେଲେନସ୍କିଙ୍କ ଦାବି ଅନୁସାରେ, ଏହି ଅଭିଯାନରେ ମୋଟ ୭ଟି ନୌସେନା ଡ୍ରୋନ୍ ବ୍ୟବହାର କରାଯାଇଥିଲା । ଆକ୍ରମଣରେ ରୁଷର ମର୍କ୍ୟୁରି ଯୁଦ୍ଧଜାହାଜ ସହ ଏକ କା-୨୭ ସାମରିକ ହେଲିକପ୍ଟର ମଧ୍ୟ ଧ୍ୱଂସ ହୋଇଥିବା ସେ କହିଛନ୍ତି । ଏହି ଅଭିଯାନର ଦ୍ୱିତୀୟ ଟାର୍ଗେଟ୍ ଥିଲା ରୁଷର ମାଲବାହୀ ଜାହାଜ ‘ଏମ୍ ଭି ଅଙ୍ଗାରା ।

ୟୁକ୍ରେନର ଅଭିଯୋଗ ଅନୁସାରେ, ଏହି ଜାହାଜକୁ ଅସ୍ତ୍ରଶସ୍ତ୍ର ପରିବହନ ପାଇଁ ବ୍ୟବହାର କରାଯାଉଥିଲା । ଡ୍ରୋନ୍ ଆକ୍ରମଣରେ ଏହି ଜାହାଜ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଦାବି କରାଯାଇଛି । ମର୍କ୍ୟୁରି ଯୁଦ୍ଧଜାହାଜ ନିୟମିତ ଭାବେ ରୁଷର ନୌସେନା ଜାହାଜଗୁଡ଼ିକୁ ସୁରକ୍ଷା ଦେବା ସହ ଏମ୍ ଭି ଅଙ୍ଗାରାକୁ ମଧ୍ୟ ପହରା ଦେଉଥିଲା । ଏହି ଆକ୍ରମଣର ଦାବି ସତ୍ୟ ପ୍ରମାଣିତ ହେଲେ ରୁଷର ସାମୁଦ୍ରିକ ସୁରକ୍ଷା ଓ ଅସ୍ତ୍ର ପରିବହନ ବ୍ୟବସ୍ଥା ପାଇଁ ଏହା ଏକ ବଡ଼ ଝଟକା ହୋଇପାରେ । ଏହି ଅଭିଯାନରେ ୟୁକ୍ରେନ୍ ଏକ ବଡ଼ ମାତୃଜାହାଜ ବା ମଦରସିପ୍ ବ୍ୟବହାର କରିଥିବା କୁହାଯାଉଛି । ଏହା ମାଧ୍ୟମରେ ନୌସେନା ଡ୍ରୋନ୍ ଗୁଡ଼ିକୁ ଆକ୍ରମଣ ଅଞ୍ଚଳ ନିକଟକୁ ନିଆଯାଇଥିଲା । ଏହି କୌଶଳ ଦ୍ୱାରା ୟୁକ୍ରେନ୍ ନିଜ ଉପକୂଳଠାରୁ ବହୁ ଦୂରରେ ମଧ୍ୟ ସାମୁଦ୍ରିକ ଆକ୍ରମଣ କରିପାରୁଥିବା ଦାବି କରିଛି ।

ୟୁକ୍ରେନ୍ ପୂର୍ବରୁ କୃଷ୍ଣସାଗରରେ ରୁଷ୍ ର ଅନେକ ଯୁଦ୍ଧଜାହାଜକୁ ଡ୍ରୋନ୍ ଆକ୍ରମଣରେ କ୍ଷତି ପହଞ୍ଚାଇଛି । ତେବେ ଲିବିୟା ଉପକୂଳରେ ଏଭଳି ଆକ୍ରମଣ ହୋଇଥିବା ଦାବି ଯୁଦ୍ଧର ଭୌଗୋଳିକ ପରିସରକୁ ନେଇ ନୂଆ ପ୍ରଶ୍ନ ସୃଷ୍ଟି କରିଛି । ମର୍କ୍ୟୁରି ଯୁଦ୍ଧଜାହାଜ ବୁଡ଼ିବା, ହେଲିକପ୍ଟର ଧ୍ୱଂସ ହେବା ଏବଂ ଏମ୍ ଭି ଅଙ୍ଗାରା କ୍ଷତିଗ୍ରସ୍ତ ହେବା ସମ୍ପର୍କିତ ଦାବିର ସ୍ୱାଧୀନ ପ୍ରମାଣ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ଏହି ଦାବିଗୁଡ଼ିକ ଉପରେ ରୁଷ୍ ର ଆନୁଷ୍ଠାନିକ ପ୍ରତିକ୍ରିୟା ମଧ୍ୟ ସ୍ପଷ୍ଟ ନୁହେଁ ।

Share