ତାମିଲନାଡୁ: ଖୁସିର ଉତ୍ସବରୁ ଫେରୁଥିବା ବେଳେ ମାଡ଼ି ଆସିଲା ମୃତ୍ୟୁ । ହସଖୁସିର ଫେରିବା ବାଟରେ ଛକି ବସିଥିଲା ଯମ । ଗଛରେ ପିଟିହେଲା କାର୍ । ନିମିଷକେ ଲିଭିଗଲା ୮ ଜୀବନ ଦୀପ । ତାମିଲନାଡୁର ତିରୁଚିରାପଲ୍ଲୀ ଜିଲ୍ଲାର ଥୁରାଇୟୁର–ମୁସିରି ରାଜପଥରେ ଭୟଙ୍କର ଦୁର୍ଘଟଣା । ଏକ ମିନିଭ୍ୟାନ୍ ରାସ୍ତା କଡ଼ରେ ଥିବା ଏକ ନିମ୍ବ ଗଛରେ ପିଟି ହେବା ଫଳରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । କୋଥୁରପଟ୍ଟି ଚାରି ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ପ୍ରାୟ ୧୦ ଜଣ ଯାତ୍ରୀ ଏକ ପାରିବାରିକ ଉତ୍ସବରେ ଯୋଗଦେଇ ଥାଞ୍ଜାଭୁର ଜିଲ୍ଲାର ଥିରୁକାଟ୍ଟୁପଲ୍ଲୀକୁ ଫେରୁଥିଲେ । ପ୍ରାଥମିକ ପୋଲିସ ରିପୋର୍ଟ ଅନୁଯାୟୀ, ଦ୍ରୁତ ଗତିରେ ଆସୁଥିବା ମାରୁତି ଇକୋ ମିନିଭ୍ୟାନ୍ ଟି ଭାରସାମ୍ୟ ହରାଇ ରାସ୍ତାଠାରୁ ପ୍ରାୟ ୧୫ ଫୁଟ୍ ଦୂରରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା ।
ଡ୍ରାଇଭରଙ୍କ ସମେତ ପାଞ୍ଚ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଅନ୍ୟ ତିନି ଜଣ ମୁସିରି ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ । କ୍ଷତିଗ୍ରସ୍ତ ଗାଡ଼ି ଭିତରୁ ମୃତଦେହଗୁଡ଼ିକୁ ବାହାର କରିବା ପାଇଁ ଉଦ୍ଧାରକାରୀ ଦଳକୁ ହାଇଡ୍ରୋଲିକ୍ କଟର ବ୍ୟବହାର କରିବାକୁ ପଡ଼ିଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରତ୍ୟେକ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦,୦୦୦ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି । ଏହା ସହିତ ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
