ହାଇଦ୍ରାବାଦରେ ବୋମା ବିସ୍ଫୋରଣ ଧମକ, ସହରବ୍ୟାପୀ ତନାଘନା

୨୩

ହାଇଦ୍ରାବାଦ: ହାଇଦ୍ରାବାଦରେ ବୋମା ବିସ୍ଫୋରଣ ଧମକ । ସହରବ୍ୟାପୀ ସୁରକ୍ଷା କଡ଼ାକଡ଼ି । ଧମକପୂର୍ଣ୍ଣ ଇମେଲ୍ ପରେ ଆଲର୍ଟରେ ପୋଲିସ । ସନ୍ଦିଗ୍ଧ ସ୍ଥାନରେ ତନାଘନା ଓ ସାଇବର ତଦନ୍ତ ଆରମ୍ଭ । ହାଇଦ୍ରାବାଦରେ ବୋମା ବିସ୍ଫୋରଣ ଧମକ ପରେ ହାଇଆଲର୍ଟରେ ପୋଲିସ । ସହରର କେତେକ ସ୍ଥାନରେ ବୋମା ବିସ୍ଫୋରଣ ଘଟାଇବା ନେଇ ଏକ ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ହାଇଦ୍ରାବାଦ ସିଟି ପୋଲିସ ତୁରନ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି । ହାଇଦ୍ରାବାଦ ପୋଲିସ କମିଶନରଙ୍କ ସୂଚନା ଅନୁଯାୟୀ, ଧମକପୂର୍ଣ୍ଣ ଇମେଲ୍ ରେ ସହରର କେତେକ ନିର୍ଦ୍ଦିଷ୍ଟ ସ୍ଥାନକୁ ଟାର୍ଗେଟ୍ କରାଯିବାର ଆଶଙ୍କା ପ୍ରକାଶ କରାଯାଇଛି । ଏହାପରେ ସନ୍ଦିଗ୍ଧ ସ୍ଥାନଗୁଡ଼ିକରେ ଆଣ୍ଟି-ସାବୋଟେଜ୍ ଯାଞ୍ଚ କରାଯାଇଛି। ସେହିପରି ସହରରେ ପୋଲିସର ଉପସ୍ଥିତି ଓ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ।

ଅନ୍ୟପଟେ ଧମକପୂର୍ଣ୍ଣ ଇମେଲ୍ କିଏ ଏବଂ କେଉଁଠାରୁ ପଠାଇଛି, ତାହା ଜାଣିବା ପାଇଁ ସାଇବର କ୍ରାଇମ୍ ପୋଲିସ ତଦନ୍ତ ଆରମ୍ଭ କରିଛି । ଇମେଲ୍ ପଛରେ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ ଧମକର ସତ୍ୟତା ଯାଞ୍ଚ କରାଯାଉଛି । ତେବେ ଏପର୍ଯ୍ୟନ୍ତ କୌଣସି ବୋମା ମିଳିଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇନାହିଁ। ଏହି ଘଟଣାକୁ ନେଇ ସାଧାରଣ ଲୋକଙ୍କୁ ଆତଙ୍କିତ ନହେବା ପାଇଁ ଅପିଲ୍ କରିଛି ହାଇଦ୍ରାବାଦ ପୋଲିସ ।

କୌଣସି ଗୁଜବକୁ ବିଶ୍ୱାସ ନକରିବା କିମ୍ବା ସାମାଜିକ ଗଣମାଧ୍ୟମରେ ଅପପ୍ରଚାର ନକରିବାକୁ ପରାମର୍ଶ ଦିଆଯାଇଛି । ସେହିପରି କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ପରିତ୍ୟକ୍ତ ବ୍ୟାଗ୍ ଓ ସନ୍ଦେହଜନକ ସାମଗ୍ରୀ ନଜରକୁ ଆସିଲେ ତୁରନ୍ତ ଜରୁରୀକାଳୀନ ନମ୍ବର ୧୧୨କୁ ଫୋନ୍ କରି ପୋଲିସକୁ ଜଣାଇବାକୁ କୁହାଯାଇଛି । ନାଗରିକଙ୍କ ସୁରକ୍ଷା ପାଇଁ ପୋଲିସ ୨୪ ଘଣ୍ଟା ସଜାଗ ରହିଛି। ସହରବାସୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ହାଇଦ୍ରାବାଦ ସିଟି ପୋଲିସ ସ୍ପଷ୍ଟ କରିଛି ।

Share