ଅଯୋଧ୍ୟା : ଅଯୋଧ୍ୟାରୁ ଜନକପୁରକୁ ଗଡ଼ିଲା ସରଯୂ-କମଳା ଏକ୍ସପ୍ରେସ୍ । ଶୁଭାରମ୍ଭ କଲେ ମୋଦି ଓ ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ । ଭାରତ-ନେପାଳ ସମ୍ପର୍କରେ ନୂଆ ଅଧ୍ୟାୟ । ରାମଙ୍କ ଜନ୍ମଭୂମି ସହ ସୀତାଙ୍କ ଜନ୍ମଭୂମିକୁ ଯୋଡ଼ିଲା ରେଳସେବା । ଭାରତ ଓ ନେପାଳ ମଧ୍ୟରେ ଧାର୍ମିକ, ସାଂସ୍କୃତିକ ଓ ପରିବହନ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଦିଗରେ ନୂଆ ପଦକ୍ଷେପ । ଅଯୋଧ୍ୟା ଧାମ ଓ ନେପାଳର ଜନକପୁର ଧାମ ମଧ୍ୟରେ ସରଯୁ-କମଳା ଏକ୍ସପ୍ରେସ୍ ରେଳସେବାର ଶୁଭାରମ୍ଭ ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ଭର୍ଚୁଆଲ୍ ମାଧ୍ୟମରେ ସବୁଜ ପତାକା ଦେଖାଇ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି । ଏହି ରେଳସେବା ଦୁଇ ଦେଶର ଧାର୍ମିକ ପର୍ଯ୍ୟଟନକୁ ନୂଆ ଗତି ଦେବ ବୋଲି ଆଶା କରାଯାଉଛି । ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା ଏବଂ ମାତା ସୀତାଙ୍କ ଜନ୍ମସ୍ଥାନ ଭାବେ ପରିଚିତ ଜନକପୁର ମଧ୍ୟରେ ଯାତାୟାତ ସୁବିଧା ବୃଦ୍ଧି ପାଇବ । ଏହାଦ୍ୱାରା ଉଭୟ ଦେଶର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଉପକୃତ ହେବେ । ଭାରତ ଓ ନେପାଳ ମଧ୍ୟରେ ରାମାୟଣ ଯୁଗରୁ ସାଂସ୍କୃତିକ ଓ ଧାର୍ମିକ ସମ୍ପର୍କ ରହିଆସିଛି ।
ଅଯୋଧ୍ୟା ଓ ଜନକପୁର ଏହି ସମ୍ପର୍କର ଦୁଇ ପ୍ରମୁଖ କେନ୍ଦ୍ର । ନୂଆ ରେଳସେବା ଦ୍ୱାରା ଏହି ଐତିହାସିକ ସମ୍ପର୍କ ଆହୁରି ମଜଭୁତ ହେବା ସହ ଦୁଇ ଦେଶର ଲୋକଙ୍କ ମଧ୍ୟରେ ଯୋଗାଯୋଗ ବଢ଼ିବ । ବିଶେଷକରି ରାମାୟଣ ସର୍କିଟ୍ ପର୍ଯ୍ୟଟନ ପାଇଁ ଏହି ରେଳସେବା ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ଅଯୋଧ୍ୟା ଓ ଜନକପୁରକୁ ଆସୁଥିବା ଦେଶବିଦେଶର ଶ୍ରଦ୍ଧାଳୁଙ୍କ ପାଇଁ ଯାତ୍ରା ଅଧିକ ସୁବିଧାଜନକ ହେବାର ଆଶା ରହିଛି । ଏଥିସହ ହୋଟେଲ୍, ପରିବହନ, ହସ୍ତଶିଳ୍ପ ଓ ସ୍ଥାନୀୟ ବ୍ୟବସାୟକୁ ମଧ୍ୟ ପ୍ରୋତ୍ସାହନ ମିଳିପାରେ ।
ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ଭାରତ ଗସ୍ତ ଅବସରରେ ଏହି ରେଳସେବାର ଶୁଭାରମ୍ଭ ହୋଇଛି । ଟ୍ରେନର ନିୟମିତ ସେବା ଆସନ୍ତା ୨୮ରୁ ଆରମ୍ଭ ହେବ । ଟ୍ରେନ୍ ମୋଟ ଦୂରତା ୬୦୪ କିଲୋମିଟର ଅତିକ୍ରମ କରିବ । ଯାତ୍ରା ସମୟ ରହିବ ପ୍ରାୟ ୧୯ ଘଣ୍ଟା। ଏହି ଟ୍ରେନ୍ ରେ ୧୭ଟି ବଗି ରହିଛି । ସପ୍ତାହକୁ ପ୍ରତି ଦିଗରେ ଥରେ ଚଳାଚଳ କରିବ ଟ୍ରେନ। ଅଯୋଧ୍ୟାରୁ ଜନକପୁର ପ୍ରତି ସୋମବାର ସନ୍ଧ୍ୟା ୫ଟା ୫୦ ରେ ବାହାରିବ। ସେହିପରି ଜନକପୁରରୁ ଅଯୋଧ୍ୟା ପ୍ରତି ଶନିବାର ନେପାଳ ସମୟ ଅପରାହ୍ଣ ୧ଟା ୧୦ରେ ବହାରିବ । ଏହି ଟ୍ରେନ୍ ଗୋରଖପୁର, ରକ୍ସୌଲ, ସୀତାମଢ଼ି, ମଧୁବନୀ ଓ ଜୟନଗର ସମେତ ବିଭିନ୍ନ ଷ୍ଟେସନ୍ ଦେଇ ଚଳାଚଳ କରିବ ।
