ଦିଲ୍ଲୀ ଏୟାରପୋର୍ଟରେ ସିଜେପି ମୁଖପାତ୍ର ସୌରଭ ଦାସଙ୍କୁ ବିମାନରେ ଚଢ଼ିବାକୁ ଅନୁମତି ଦିଆଯାଇ ନଥିବା ଅଭିଯୋଗ

14

ନୂଆଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରରେ ସିଜେପ ମୁଖପାତ୍ର ସୌରଭ ଦାସଙ୍କୁ ଅଟକାଯାଇଥିବା ଅଭିଯୋଗ । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ବକ୍ତବ୍ୟ ରଖିବା ପାଇଁ ଲଣ୍ଡନ ଯାଉଥିବା ବେଳେ ତାଙ୍କୁ ବିମାନରେ ଚଢ଼ିବାକୁ ଅନୁମତି ଦିଆଯାଇ ନଥିବା ସେ ଦାବି କରିଛନ୍ତି । ସୋମବାର ରାତିରେ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ସୌରଭ । ସୌରଭଙ୍କ କହିବା ଅନୁଯାୟୀ, ରାତି ଗୋଟାଏରେ ଲଣ୍ଡନ ଅଭିମୁଖେ ତାଙ୍କର ବିମାନ ଥିଲା ।

ତେବେ ଇମିଗ୍ରେସନ୍ ଯାଞ୍ଚ ସମୟରେ ତାଙ୍କ ପାସପୋର୍ଟକୁ ଫ୍ଲାଗ୍ କରାଯାଇଥିବା ସେ ଜାଣିବାକୁ ପାଇଥିଲେ । କେବଳ ଅକ୍ସଫୋର୍ଡ ନୁହେଁ, କେମ୍ବ୍ରିଜ୍, ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସ ଏବଂ ଏଡିନବରା ବିଶ୍ୱବିଦ୍ୟାଳୟରୁ ମଧ୍ୟ ତାଙ୍କୁ ନିମନ୍ତ୍ରଣ ମିଳିଥିବା ସେ କହିଛନ୍ତି । ଡିସେମ୍ବର ୧ ତାରିଖରେ ଅକ୍ସଫୋର୍ଡ ୟୁନିଅନ୍ ରେ ସିଜେପି ଆନ୍ଦୋଳନ ସମ୍ପର୍କିତ ଏକ ଆଲୋଚନାଚକ୍ର ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି ।

ଶିକ୍ଷା, ବେକାରି ସମସ୍ୟା ଓ ରାଜନୈତିକ ଉତ୍ତରଦାୟିତ୍ୱ ଭଳି ପ୍ରସଙ୍ଗରେ ଏହି ସଂଗଠନ ଅଭିଯାନ ଚଳାଇ ଆସୁଛି । ଘଟଣାକୁ ନେଇ ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ ମଧ୍ୟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ଶିକ୍ଷିତ ଯୁବବର୍ଗଙ୍କ ସ୍ୱରକୁ ଦବାଇବା ପାଇଁ ଉଦ୍ୟମ କରାଯାଉଥିବା ସିଜେପି ଅଭିଯୋଗ କରିଛି । ଏହା ପୂର୍ବରୁ ଅକ୍ଟୋବର ୧୩ ତାରିଖରେ ଦିଲ୍ଲୀର ଯନ୍ତରମନ୍ତରରେ ବିକ୍ଷୋଭ ସମୟରେ ସୌରଭ ଗିରଫ ହୋଇଥିଲେ ।

ଅକ୍ଟୋବର ୨୧ରେ ସେ ଜାମିନରେ ମୁକୁଳିଥିଲେ । ତେବେ କେଉଁ କାରଣରୁ ସୌରଭଙ୍କୁ ବିଦେଶ ଯାତ୍ରାରୁ ରୋକାଯାଇଥିବା ଅଭିଯୋଗ ହୋଇଛି, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଏନେଇ କେନ୍ଦ୍ର ସରକାର କିମ୍ବା ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିନାହିଁ ।

Share