କନ୍ନୌଜରେ ସ୍କୁଲ ବସକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୪ ଛାତ୍ରଙ୍କ ଜୀବନ, ୨୦ ଆହତ

15

ଲକ୍ଷ୍ନୌ : ଉତ୍ତରପ୍ରଦେଶର କନ୍ନୌଜରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତାକଡ଼ରେ ଅଟକି ରହିଥିବା ସ୍କୁଲ ପିଲାଙ୍କ ବସକୁ ଏକ ଟ୍ରକ୍ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୪ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ଭୟଙ୍କର ଧକ୍କାରେ ସ୍କୁଲ ବସ୍ଟି ନଷ୍ଟ ହୋଇଥିଲା । ଆହତ ପିଲାମାନଙ୍କୁ ଆମ୍ବୁଲାନ୍ସ ଯୋଗେ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର ୨୧୦ ମାଇଲଷ୍ଟୋନ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ବସଟି କୌଶାମ୍ବୀର ଏକ ଘରୋଇ ସ୍କୁଲର ଥିଲା । ବସରେ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଏବଂ ୬ ଜଣ ଶିକ୍ଷକ ଥିଲେ । ସମସ୍ତେ ମଥୁରାରୁ ଟୁର୍ ସାରି କୌଶାମ୍ବୀ ଫେରୁଥିଲେ।

ମଙ୍ଗଳବାର ସକାଳେ ବସଟି ଏକ୍ସପ୍ରେସୱେରେ ପହଞ୍ଚିବା ପରେ ଚାଳକ ଶୌଚ ହେବା ପାଇଁ ରାସ୍ତାକଡ଼ରେ ବସଟିକୁ ଅଟକାଇଥିଲେ । ଏହି ସମୟରେ ଆଗ୍ରା ପଟୁ ଦ୍ରୁତଗତିରେ ଆସୁଥିବା ଆଳୁ ବୋଝେଇ ଟ୍ରକ୍ ବସକୁ ପଛପଟୁ ଜୋରଦାର ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ବସ୍ ଭିତରେ ଥିବା ପିଲାମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଅନେକ ଛାତ୍ରଛାତ୍ରୀ ବସ୍ ଭିତରେ ଫସି ରହିଥିଲେ । ସ୍ଥାନୀୟ ଲୋକ ପୋଲିସକୁ ଏନେଇ ଖବର ଦେଇଥିଲେ ।

ଖବର ପାଇ ଠଠିଆ ଥାନା ପୋଲିସ ଏବଂ ଅନେକ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ବସ୍ ଭିତରେ ଫସିଥିବା ପିଲାମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଯାଇଥିଲା । ତେବେ ଏହି ଦୁର୍ଘଟଣାରେ ୪ ଜଣ ଛାତ୍ରଙ୍କ ଜୀବନ ଯାଇଥିବାବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି ।

ଘଟଣା ସମ୍ପର୍କରେ ଖବର ପାଇ ଜିଲ୍ଲାପାଳ ଆଶୁତୋଷ ମୋହନ ଅଗ୍ନିହୋତ୍ରୀ ଏବଂ ଏସ୍ପି ବିନୋଦ କୁମାର ମେଡିକାଲ କଲେଜରେ ପହଞ୍ଚିଥିଲେ। ସେମାନେ ଆହତ ପିଲାମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଡାକ୍ତରଙ୍କଠାରୁ ଚିକିତ୍ସା ସମ୍ପର୍କରେ ସୂଚନା ନେଇଥିଲେ ।

Share