ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ: ଚାଲିଗଲା ବାପା-ପୁଅଙ୍କ ଜୀବନ

17

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ପୁଣି ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରୁ ବଡ଼ ଅଘଟଣ ଘଟିଛି । ଏହି ଦୁର୍ଘଟଣାରେ ବାପା ଓ ପୁଅଙ୍କର ଜୀବନ ଚାଲିଯାଇଥିବାବେଳେ ମାଆ ଓ ଦୁଇ ବର୍ଷର ଶିଶୁ ଗୁରୁତର ରହିଥିବା ଜଣାପଡିଛି ।

ସୂଚନାନୁଯାୟୀ, ଗ୍ରେଟର ନୋଏଡାର ଜେୱର ଥାନା ଅଞ୍ଚଳ ଅନ୍ତର୍ଗତ ଦୟାନତପୁର ଗାଁରେ ସୋମବାର ସନ୍ଧ୍ୟାରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ଘରେ ରଖାଯାଇଥିବା ଗ୍ୟାସ୍ ସିଲିଣ୍ଡରରୁ ହଠାତ୍ ଗ୍ୟାସ୍ ଲିକ୍ ହୋଇଥିଲା । ଏହାପରେ ନିଆଁ ଲାଗି ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ନିଆଁରେ ପରିବାରର ଚାରି ଜଣ ସଦସ୍ୟ ପୋଡ଼ି ଯାଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଜୀବନ ଚାଲିଯାଇଥିଲାବେଳେ ଅନ୍ୟ ୨ ଜଣ ଗୁରୁତର ଭାବେ ଆହତ ଅଛନ୍ତି । ମୃତକ ହେଉଛନ୍ତି ୫୬ ବର୍ଷୀୟ ବୀରପାଲ ଏବଂ ତାଙ୍କ ୨୪ ବର୍ଷୀୟ ପୁଅ ଅଭିଷେକ । ସେହିପରି ଅଭିଷେକଙ୍କ ପତ୍ନୀ କାଜଲ ଏବଂ ତାଙ୍କ ଦୁଇ ବର୍ଷର ପୁଅ ଆଦିତ୍ୟ ମଧ୍ୟ ନିଆଁରେ ପୋଡ଼ି ଯାଇଛନ୍ତି । ଏହାରି ମଧ୍ୟରେ ପରିବାର ଲୋକେ ଏବଂ ଗ୍ରାମବାସୀ ତୁରନ୍ତ ଆହତଙ୍କୁ ହସ୍ପିଟାଲ ନେଇଥିଲେ । ହେଲେ ଡାକ୍ତର ବୀରପାଲ ଓ ଅଭିଷେକଙ୍କୁ ମୃତ ଘୋଷଣା କରିଥିଲବାବେଳେ କାଜଲ ଏବଂ ଆଦିତ୍ୟଙ୍କ ଚିକିତ୍ସା କରାଯାଉଛି । ହେଲେ ବର୍ତ୍ତମାନ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ପୋଲିସ କହିଛି । କିନ୍ତୁ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ।

ଅନ୍ୟପଟେ ଖବର ପାଇ ଜେୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଦୁଇ ମୃତକଙ୍କ ମୃତଦେହର ପଞ୍ଚନାମା କରାଯାଇ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଘଟଣା ପରେ ସାରା ଗାଁରେ ଶୋକର ଛାୟା ଖେଳିଯାଇଛି ।

Share