ଏହି ଯୋଜନା ଅଧୀନରେ ୨୮୦ କୋଟି ଟଙ୍କା ବ୍ୟୟରେ ୧୯୦ଟି ନୂଆ ସରକାରୀ ଡାକଘର କୋଠା ନିର୍ମାଣ କରାଯିବ । ୧୦୮ କୋଟି ଟଙ୍କା ବ୍ୟୟରେ ୫୦ଟି ଜରାଜୀର୍ଣ୍ଣ ଡାକଘର କୋଠାର ପୁନଃନିର୍ମାଣ କରାଯିବ । ୩୧୮ କୋଟି ଟଙ୍କା ବ୍ୟୟରେ ୨,୫୫୦ଟି ସରକାରୀ ଉପଡାକଘରର ନବୀକରଣ ଏବଂ ସମାନ ଢାଞ୍ଚାରେ ସାଜସଜ୍ଜା କରାଯିବ । ଭଡ଼ା ଘରେ ଚାଲୁଥିବା ୨,୫୦୦ଟି ଡାକଘରର ଉନ୍ନତିକରଣ ଓ ବ୍ରାଣ୍ଡିଂ ପାଇଁ ୩୭.୫୦ କୋଟି ଟଙ୍କା ବ୍ୟୟ ହେବ । ଐତିହାସିକ ଡାକଘର କୋଠାଗୁଡ଼ିକର ସଂରକ୍ଷଣ ପାଇଁ ୧୮୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଏହି ଅର୍ଥରେ ୨୦ଟି ଐତିହାସିକ ଡାକଘର କୋଠାର ପୁନରୁଦ୍ଧାର ଓ ସଂରକ୍ଷଣ କରାଯିବ । ସେହିପରି ଡାକ ବିଭାଗର କର୍ମଚାରୀଙ୍କ କଲ୍ୟାଣ ପାଇଁ ୩୫୭.୫୦ କୋଟି ଟଙ୍କା ବ୍ୟୟରେ ୧୫୦ଟି ଆବାସିକ କଲୋନୀର ନବୀକରଣ କରାଯିବ । ଏଥିସହ ୧୦୦ କୋଟି ଟଙ୍କାରେ ସୌରଶକ୍ତି ବ୍ୟବହାର ଏବଂ ବର୍ଷାଜଳ ସଂରକ୍ଷଣ ଭଳି ପରିବେଶ ଅନୁକୂଳ ବ୍ୟବସ୍ଥା କରାଯିବ।
ଡାକ ସେବାରେ ଆସିବ ଡିଜିଟାଲ ପରିବର୍ତ୍ତନ
ଡାକ ବିଭାଗରେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଏବଂ ସେବାରେ ସୁଗମତା ଆଣିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସୁଗମ୍ୟ ଭାରତ ଅଭିଯାନ ଅଧୀନରେ ଡାକଘରଗୁଡ଼ିକରେ ରାମ୍ପ ଓ ବ୍ରେଲ୍ ସାଇନେଜ୍ ଭଳି ସୁବିଧା ଯୋଗାଇ ଦିଆଯିବ । ଏଥିସହ ମହିଳାଙ୍କ ପାଇଁ ଶୌଚାଳୟ ଏବଂ ଶିଶୁଙ୍କୁ ସ୍ତନ୍ୟପାନ କରାଇବା ପାଇଁ ସ୍ୱତନ୍ତ୍ର କକ୍ଷ ନିର୍ମାଣ କରାଯିବ । ବେଙ୍ଗାଲୁରୁଠାରେ ଡାକ ପ୍ରଯୁକ୍ତିବିଦ୍ୟା ଉତ୍କର୍ଷ କେନ୍ଦ୍ର (CEPT) ପାଇଁ ୧୦୦ କୋଟି ଟଙ୍କା ବ୍ୟୟରେ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ହେବ । ଏହା ଡାକ ସେବାରେ ଉନ୍ନତ ଜ୍ଞାନକୌଶଳ ଏବଂ ସ୍ୱଦେଶୀ ଓପନ୍ ସୋର୍ସ ଟେକ୍ନୋଲୋଜିକୁ ପ୍ରୋତ୍ସାହିତ କରିବ ।
