ନୂଆଦିଲ୍ଲୀ: ଆଉ ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ ଏସଟିଏଫ ଟିମ ଏନକାଉଣ୍ଟର କରି ମେରଠରେ ନିପାତ କରିଛି। ଏହି ଏନକାଉଣ୍ଟରରେ ନିପାତ ହୋଇଥିବା ଗ୍ୟାଙ୍ଗଷ୍ଟର ନାମ ଅନିଲ ଦୁଜାନା ଓରଫ ଅନିଲ ନଗର ବୋଲି ଜଣାପଡ଼ିଛି।

ଏସଟିଏଫ ଟିମକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା କି,  ଗ୍ୟାଙ୍ଗଷ୍ଟର ଅନିଲ ଏକ ବଡ଼ ଆକ୍ରମଣ ଯୋଜନା କରୁଛି। ଏହାକୁ ଆଧାର କରି ଟିମ ଅନିଲକୁ ଖୋଜିବାକୁ ଆରମ୍ଭ କରିଥିଲା। ଏହି କ୍ରମରେ ଅନିଲ ମେରଠରେ ଲୁଚି ରହିଥିବା ସୂଚନା ମିଳିଥିଲା। ଏହାପରେ ଏସଟିଏଫ ଟିମ ଅନିଲ ଥିବା ସ୍ଥାନରେ ପହଞ୍ଚି ଯାଇଥିଲା। ଟିମକୁ ଦେଖି ଅନିଲ ଘଟଣାସ୍ଥଳରୁ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ଏସଟିଏଫ ଟିମ ସେ କିଛି ବୁଝିବା ପୂର୍ବରୁ ଏନକାଉଣ୍ଟର କରିଥିଲା। ଏହି ଏନକାଉଣ୍ଟରରେ ଅନିଲ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲା।

ଗ୍ୟାଙ୍ଗଷ୍ଟର ଅନିଲ ନାମରେ ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ୬୦ରୁ ଅଧିକ ମାମଲା ରୁଜୁ ହୋଇଛି। ଦିଲ୍ଲୀ ଓ ଉତ୍ତରପ୍ରଦେଶ ପୁଲିସ କ୍ରମାଗତ ଅନିଲକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲେ। ଗତବର୍ଷ ଦିଲ୍ଲୀ ପୁଲିସ ଅନିଲ ଓ ତାର ସାଥୀକୁ ଗିରଫ ବି କରିଥିଲା।

ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ ୧୩ ତାରିଖରେ ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅତିକ ଅହମଦର ପୁଅ ଅସଦ ଅହମଦ ଓ ତାର ସାଥୀକୁ ଝାନସୀରେ ଏସଟିଏଫ ଠିମ ଏନକାଉଣ୍ଟର କରିଥିଲା। ଏହି ଏନକାଉଣ୍ଟର ପାଇଁ ବିଭିନ୍ନ ମହଲରୁ ଉତ୍ତରପ୍ରଦେଶ ଏସଟିଏଫ୍ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରାଯାଇଥିଲା।

Share